ଭୁବନେଶ୍ୱର: ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନକିଣା ନଯିବା ଏବଂ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ପାଇଁ ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇପାରିନଥିଲା । ବାଚସ୍ପତି ଓ ଉପବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ।
ଅନ୍ୟପକ୍ଷରେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ସେଥିରୁ କୌଣସି ସୁଫଳ ମିଳିନଥିଲା । ତେଣୁ ବାଚସ୍ପତି ଗୃହକୁ ୧୨ଟା ୫୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ମଧ୍ୟ ସମାନ ସ୍ଥିତି ରହିଥିଲା । ଫଳରେ ବାଚସ୍ପତି ଗୃହକୁ ୫ଟା ୪ରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହର ବୈଠକ ଆରମ୍ଭ ହେବାକୁ ଗଲାବେଳେ ପୂର୍ବ ଦିନମାନଙ୍କ ଭଳି ବିରୋଧୀ ଦଳ ସଦସ୍ୟମାନେ ମଣ୍ଡି ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଶାସକ ଦଳ ସଭ୍ୟମାନେ ମଧ୍ୟ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମାପ୍ରାର୍ଥନା ଦାବିରେ ଅଡି ବସିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟା ଗୃହରେ ମୁହାଁମୁହିଁ ହୋଇଥିଲେ । ଏଥିରୁ ନିବୃତ ରହିବାପାଇଁ ବାଚସ୍ପତି ବାରମ୍ବାର ସଭ୍ୟମାନଙ୍କୁ ଅନୁରୋଧ କରି ବେଲ୍ ବଜାଇଥିଲେ ହେଁ ସେମାନେ କୌଣସି ଗୁରୁତ୍ୱ ଦେଇନଥିଲେ ବରଂ ହଟ୍ଟଗୋଳ ଜୋରଦାର କରିବାପାଇଁ ସ୍ଲୋଗାନ, ପ୍ରତିସ୍ଲୋଗାନ, ଆପେକ୍ଷ ଓ ପ୍ରତି ଆକ୍ଷେପ କରୁଥିବା ଦେଖାଯାଇଥିଲା ।
ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୦ ମିନିଟ୍ ୧୫ ସେକେଣ୍ଡେରୁ ୧୧ଟା ୩୦ଯାଏଁ, ୧୧ଟା ୩୦ରୁ ୧୨ଟା, ୧୨ଟାରୁ ୧୨ଟା ୩୦ ଓ ୧୨ଟା ୩୦ରୁ ୧୨ଟା ୫୦ ଯାଏଁ ମୁଲତବୀ ରଖିଥିଲେ । ଗୃହ ମୁଲତବୀ ଥିବାବେଳେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିଥିଲା । ଏହି ବୈଠକରେ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରାନଯାଇ ବିଧାୟକଙ୍କ କ୍ଷମା ପ୍ରାର୍ଥନା ବିଷୟ ଉପରେ ପ୍ରଥମେ ଆଲୋଚନା କରାଯାଇଥିବାରୁ କଂଗ୍ରେସ ଦଳ ବିଧାୟକମାନେ ସର୍ବଦଳୀୟ ବୈଠକକୁ ବର୍ଜନ କରିଥିଲେ ।
ସର୍ବଦଳୀୟ ବୈଠକରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହେଉନି, ସାନିଟାଇଜର ପିଇବା ଉପରେ ଆଲୋଚନା ହେଉଛି । ତେଣୁ ଆମେ ଆଲୋଚନାରୁ ଓହରିଲୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଅପରାହ୍ନ ୪ଟାରେ ଗୃହର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ପରେ ପୁଣି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।
କଂଗ୍ରେସ ସଭ୍ୟମାନେ ଚାଷୀମାରଣ ନୀତି ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିବା ବେଳେ ବିଜେଡି ସଦସ୍ୟମାନେ ନିଜ ଦାବି ସମ୍ପର୍କରେ ସ୍ଲୋଗାନ ଦେଇଥିଲେ । ବାଚସ୍ପତି ନିଜ ନିଜ ଆସନକୁ ଫେରିଯିବା ପାଇଁ ବିଧାୟକମାନଙ୍କୁ କହିଥିଲେ ହେଁ ସେମାନେ ଶୁଣିନଥିଲେ । ପ୍ରଥମାର୍ଦ୍ଧରେ ବସିଥିବା ସର୍ବ ବୈଠକରେ ଆଲୋଚନା ଅସମାପ୍ତ ରହିଥିବାରୁ ବାଚସ୍ପତି ପୁଣିଥରେ ସର୍ବଳଦୀୟ ବୈଠକ ଡାକିଥିଲେ । ବାଚସ୍ପତି ଗୃହକୁ ୪ଟା ୩ରୁ ୪ଟା ୩୩ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ ।
ବୈଠକ ଚାଲିଥିବା ସମୟରେ ଉପବାଚସ୍ପତି ରଜନୀକାନ୍ତ ସିଂ ଗୃହକୁ ୪ଟା ୩୩ ରୁ ୫ଟା ୩ ମିନିଟ୍ ଯାଏଁ ୩୦ ମିନିଟ୍ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ଏଥିରେ ବାଚସ୍ପତି ଆଜି ହେବାକୁ ଥିବା ଇସ୍ପାତ, ଖଣି ଓ ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିବ ନାହିଁ । ଆସନ୍ତା ୩୦ ତାରିଖରେ ଗିଲୋଟିନ୍ ଦ୍ୱାରା ଗୃହିତ ହେବ ବୋଲି ବାଚସ୍ପତି କହିଥିଲେ ।