ବିକାଶ ପଥରେ ନୂଆପଡ଼ା

ନୂଆପଡ଼ା ବିକାଶରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ଜିଲ୍ଲାରେ ମୁଖ୍ୟ ତିନୋଟି ସମସ୍ୟା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଇବା ପାଣି,ଜଳସେଚନଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରେ ଅଛି ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ।

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ଓଡ଼ିଶା ପାଇଁ ନୂଆପଡ଼ା ସ୍ୱ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଜି ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି ।

ନିଜ ଅଭିଭାଷଣରେ ନୂଆପଡ଼ାର ମାଆମାନଙ୍କୁ ପ୍ରଶଂସା କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଭୂମିକାକୁ ସଲାମ୍ ଜଣାଇଥିଲେ । କହିଥିଲେ ନୂଆପଡାକୁ ଆସି ମୁଁ ବହୁତ ଖୁସି । ନୂଆପଡ଼ା ଭେଲା ଗାଁର ମା’ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ୨୦୨୨ରେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ ।

୧୯୯୩ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ । ସେତେବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରିବାରୁ ବିଜୁ କହିଥିଲେ ଦୂରରେ ରହୁଥିବା ପିଲାଙ୍କୁ ଯେପରି ବାପା, ମା’ ବହୁତ ଭଲ ପାଆନ୍ତି ସେହିପରି ବିଜୁବାବୁ ନୂଆପଡ଼ାକୁ ଭଲପାଆନ୍ତି ବୋଲି ଜବାବ ରଖିଥିଲେ । ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି ।

ନୂଆପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲମାନଙ୍କଠାରୁ କିଛି କମ୍ ନୁହେଁ । ସେହିପରି ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟହାର ବହୁତ ହ୍ରାସ ପାଇଛି । ନୂଆପଡାର ଫ୍ଲୋରାଇଡ ପାଣି ସମସ୍ୟାର ସମାଧାନ କରାଯାଇଛି । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ୍ ପାଣି ଦେଇପାରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ହଜାରେରୁ ଅଧିକ ଫ୍ଲୋରାଇଡ ରାଇଭୋଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୯୦୦ରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇପାରିଛି । କେବଳ ସେତିକି ନୁହେଁ, ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ୍ ପାଣିର ସୁବିଧା ମଧ୍ୟ ଦିଆଯାଇଛି ।

୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ପାଇପ୍ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି । ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପ ଦ୍ୱାରା ନୂଆପଡାର କୋମନା, ଖଡିଆଳ ଏବଂ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଗାଁର ଏକ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ ।

ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲି ଓ ବୋଡେନ୍ ଅଞ୍ଚଳର ୧୮ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ । ଆଗକୁ ଏହି ପ୍ରକଳ୍ପରୁ ଆଉ ୭ ହଜାର ୫ଶହ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ବିଜ୍ଞାନର ବିକାଶ ପାଇଁ ଲୋୟର ଇନ୍ଦ୍ର ଡ୍ୟାମ ସାଇଟ୍ ପାଖରେ ୩ କୋଟି ଟଙ୍କାରେ ଏକ ସାଇନ୍ସ ପାର୍କ ଓ ମ୍ୟୁଜିୟମ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ନୂଆପଡାରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ନୂଆପଡା ଓ ଖଡିଆଳରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ । ଖଡିଆଳ ସ୍ୱ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧାର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ । ବିଜୁବାବୁଙ୍କର ସେଦିନର ସାନପିଲା ନୂଆପଡା ଆଜି ବଡ ହୋଇଛି । ସଶକ୍ତ ହୋଇଛି, ସବୁଜ ହୋଇଛି । ଓଡ଼ିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଗକୁ ନୂଆପଡ଼ାର ବିକାଶ ଧାରା ଆହୁରି ବଢିବ ବୋଲି କହି ଆନନ୍ଦ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନୂଆପଡ଼ା ସହ ବିଜୁବାବୁଙ୍କ ସମ୍ପର୍କ ମନେ ପକାଇଲେ:

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡାକୁ ବିଜୁବାବୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ,ନୂଆପଡା ଓଡିଶା ମା’ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା, ମା’ ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି, ମୁଁ ମଧ୍ୟ ସେପରି ନୂଆପଡାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି ।

ଆଜି ନୂଆପଡାର ରୂପାନ୍ତରକୁ ଆପଣମାନେ ଦେଖିପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନପିଲା ନୂଆପଡା ଆଜି ବଡ ହୋଇଛି । ସଶକ୍ତ ହୋଇଛି, ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡାରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।