ବାରିପଦାରେ ଓଡ଼ିଶା ବନ୍ଦକୁ ମିଳିଛି ଅଦ୍ଭୁତପୂର୍ବ ଜନ ସମର୍ଥନ : ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ

ବାରିପଦା: ଆଜି ତୈଳ, ରନ୍ଧନ ଗ୍ୟାସ, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଏହାକୁ ରୋକିବାରେ ସରକାର ବିଫଳ ହେବାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଂଟିଆ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ସଫଳ ହୋଇଛି । ଜନସାଧାରଣ ସ୍ୱତଃପ୍ରବୃତ ଭାବେ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ ହୋଇଥିବା ସମୟରେ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ଆଜି ସକାଳ ୭ ସମୟରେ କଂଗ୍ରେସର ମୟୂରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନିରୋଜ ଲୋଚନ ଦାଶ, ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ପ୍ରମୁଖଙ୍କ ସମେତ ଯୋଗେଶ ଅଗ୍ରୱାଲ, ସୁଦୀପ ମନ୍ତ୍ରୀ, ଅରବିନ୍ଦ ଦାସ, ପ୍ରଦୀପ ମିଶ୍ର, ଶାନ୍ତନୁ ପାଲ, ମହିଳା ନେତ୍ରୀ ସସ୍ମୀତା ଘୋଷାଲ, ଇତିଶ୍ରୀ ମିଶ୍ର, ତାରାକାନ୍ତ ବେହେରା, ଦେବବ୍ରତ ଦାସ, କୌଶିକ ମିଶ୍ର, ବୁଧୁରାମ ସିଂ, ମୋହନ ସିଂ,  ଦୀପକ ଦାସ, ଶୁକରାମ ବିନ୍ଧାଣୀ, ମନୋଜ ଦାସ,  ରଶ୍ମୀତା ମିଶ୍ର, ମଧୁସ୍ମୀତା ବେହେରା, ମୋତିିପ୍ରକାଶ ଦାଶ, ନିର୍ମଳ ପ୍ରଧାନ, ଦୁର୍ଯ୍ୟମୋହନ ହାଁସଦାଃ, ଭିକି ସାମଲ, ଚନ୍ଦ୍ର ଶେଖର ସେଠୀ ପ୍ରମୁଖ ସାମିଲ ହୋଇ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାଲବଣି ନିକଟରେ ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଟ୍ରକ, ବସ ଆଦି ଯାନବାହାନ ଅଟକି ରହିଥିଲା ।
ଏହାପରେ ବାରିପଦା ମୁଖ୍ୟ ଡ଼ାକଘର, କଚେରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟେଲିଫୋନ ଭବନ, ଜୀବନ ବୀମା କାର୍ଯ୍ୟାଳୟ , ବ୍ୟାଙ୍କ ସହିତ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ । ଫଳରେ କାର୍ଯ୍ୟାଳୟଗୁଡ଼ିକ ଭିତରକୁ କୌଣସି ଅଧିକାରୀ ଓ କର୍ମଚାରୀମାନେ ପ୍ରବେଶ କରି ନ ପାରି ଫେରିଯାଇଥିଲେ । ସେହିପରି ଆନ୍ଦୋଳନକାରୀମାନେ ଜିଲ୍ଲା ଓ ଦୌରା ଜଜ୍‌, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ସେସନ ଜଜ୍‌, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କୁ  ଆଜି ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ବିନମ୍ର ଅନୁରୋଧ କରିବା ପରେ ସେମାନେ ଫାଟକ ନିକଟରୁ ଫେରିଯାଇଥିଲେ ।
ସରକାର ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିବା ବେଳେ ବାରିପଦା ସହରରେ ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିଲା । କେବଳ ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକୀୟ ସେବା ବନ୍ଦରୁ ବାଦ ଦିଆଯାଇଥିଲା । ବନ୍ଦର ସଫଳତାକୁ ନେଇ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ  କମିଟି ସଭାପତି ଶ୍ରୀଦାସ ବାରିପଦା ସହରବାସୀ ସହିତ ମୟୂରଭଞ୍ଜବାସୀଙ୍କୁ ଧନ୍ୟବାଦ ଜଣାଇବା ସଂଗେସଂଗେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି । କେନ୍ଦ୍ରରେ ଉପ ସରକାରଙ୍କ ଶାସନ ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସମୟରେ ତୈଳ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ  ବିଜେପି ଦେଶରେ ତୁମ୍ବିତୋଫାନ ସୃଷ୍ଟି କରୁଥିଲା ।
  ଡ଼ିଜେଲ ଓ ପେଟ୍ରୋଲ ୩୦/୩୫ ଟଙ୍କାରେ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲା ।  ବର୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିବା ବେଳେ ପ୍ରତ୍ୟେକ ଦିନ ୨ ଟଙ୍କା ଚଢ଼ାଇ ଦେ  ଓ ୨୦ ପଇସା ଉହ୍ଲାଇ ଦେ ନୀତିରେ ପେଟ୍ରୋଲ ୯୨ ଟଙ୍କା ଅତିକ୍ରମ କରି ଦେଇଛି ଓ ଅଳ୍ପ ଦିନ ମଧ୍ୟରେ ସେଂଚୁରୀ ମାରିବାକୁ ଯାଉଛି । ସେହିପରି ବଜାର ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଉପା ସରକାରଙ୍କ କୃଷି ବିଲରେ ସଂଶୋଧନ ଆଣି କୃଷକମାନଙ୍କ ସ୍ୱାର୍ଥ ଓ ହକ୍‌କୁ ପଞ୍ଜିପତିମାନଙ୍କ ହାତକୁ ଟେକି ଦେଇଛନ୍ତି ।
ରାଜ୍ୟରେ ନାରୀ ଏବଂ ନାବାଳିକା ନିର୍ଯ୍ୟାତନା, ଦୁଷ୍କର୍ମ , ଅପହରଣ ଓ ହତ୍ୟା ଚରମ ସୋପାନରେ ପହଁଚି ଯାଇଛି । ଚୋରୀ ଡ଼କାୟତି, ରାହାଜାନୀ, ଛିନ୍ନତାଇ ବୃଦ୍ଧି ପାଇବା ସାଙ୍ଗକୁ ଜନସାଧାରଣଙ୍କ ଧନଜୀବନ ବିପନ୍ନ ହୋଇଛି । ଏଣୁ ଜନସାଧାରଣଙ୍କ  ହକ୍ ଓ ସାମୁହିକ ସ୍ୱାର୍ଥ ରକ୍ଷା ନିମନ୍ତେ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ବାଧ୍ୟ ହୋଇଛି ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ କହିଛନ୍ତି ।