ଭୁବନେଶ୍ୱର: ଖାଇବା ତେଲ ଉପରେ କେନ୍ଦ୍ର ସରକାରଙ୍କ ଟିକସ ଯୋଗୁଁ ମୂଲ୍ୟ ବୃଦ୍ଧି ହେଉଛି । ତେଲ ଉପରେ ଜିଏସଟି ୫.୫% , କୃଷି ସେସ୍ ୧୭.୫%, ଆମଦାନୀ ଶୁଳ୍କ ୨୧% ଲାଗିଛି । ଖାଇବାତେଲର ଚାହିଦା କମିଥିଲେ ମଧ୍ୟ ଦର ବୃଦ୍ଧି ପାଉଛି । ୨୦୧୯ରେ ତେଲର ଆବଶ୍ୟକତା ୨୧ ମିଲିୟନ୍ ଟନ୍ ଥିବା ବେଳେ ୨୦୨୧ରେ ଏହା ୧୯ ମିଳିୟନ୍ ଟନ୍ କୁ ହ୍ରାସ ପାଇଛି । ରାଜ୍ୟରେ ବର୍ଷକୁ ପ୍ରାୟ ୩ ମିଲିୟନ୍ ଟନ୍ ଖାଇବା ତେଲର ଆବଶ୍ୟକତା ପଡୁଛି । ତେଲ ଦରର ନିୟନ୍ତ୍ରଣ କରିବା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରର ଦାୟିତ୍ୱ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଦିନ ବିଧାନସଭାରେ କଂଗ୍ରେସ ଦଳ ପକ୍ଷରୁ ଆଗତ କରାଯାଇଥିବା “ଖାଇବା ତେଲର ଅତ୍ୟଧିକ ଦର ବୃଦ୍ଧି , ଅପମିଶ୍ର ଓ ବ୍ୟାପକ କଳା ବଜାର ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ” ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତର ରଖି ମନ୍ତ୍ରୀ ଏହା କହିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ବିରୋଧ ଦଳ ସଦସ୍ୟ ତାରା ପ୍ରସାଦ ବାହିନୀପତି , ନାଉରୀ ନାୟକ, ମୁକେଶ ମହାଲିଙ୍ଗ ଓ ମୋହନ ମାଝୀ ପ୍ରମୁଖ କହିଥିଲେ ଯେ ଖାଇବା ତେଲ ଦର ବୃଦ୍ଧି ପାଇଥିବାବେଳେ କଳାବଜାରୀ ଓ ଅପମିଶ୍ରଣ ମଧ୍ୟ ବଢି ଚାଲିଛି ।
କଳାବଜାରୀ ଓ ଅପମିଶ୍ରଣ ରୋକିବାକୁ ସରକାର ପଦକ୍ଷେପ ନେଉ ନାହାନ୍ତି । ଦର ବୃଦ୍ଧି ରୋକିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଟିକସ ଛାଡ୍ କରନ୍ତୁ । ଖାଇବା ତେଲ ଚାହିଦା ପୂରଣ ପାଇଁ ଶୋରିଷ, ଅଳସୀ, ସୂର୍ଯ୍ୟମୂଖୀ ଆବଶ୍ୟକତା ମୁତାବକ ଉତ୍ପାଦନ ହେଉନାହିଁ । କୃଷି ମନ୍ତ୍ରୀ ଆଲୋଚନା କରି ଏଗୁଡିକର ଚାଷ ପାଇଁ ପ୍ରୋତ୍ସାହନ ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଥିଲେ ।
ଅନ୍ୟପକ୍ଷରେ ମନ୍ତ୍ରୀ କହିଥିଲେ ଯେ ପଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ମଧ୍ୟ ଖାଇବା ତେଲ ଦର ବୃଦ୍ଧି ପାଉଛି । ରାଜ୍ୟରେ ଖାଇବା ତେଲରେ କଳାବଜାରୀ ରୋକିବାକୁ ସରକାର ଉଦ୍ୟମ କରୁଛନ୍ତି । ୩୦ ଜଣ ଖାଦ୍ୟ ନିରାପତା ଅଧିକାରୀବିଭିନ୍ନ ଖାଦ୍ୟ ଅନୁଷ୍ଠାନରୁ ଖାଇବା ତେଲ ନମୂନା ସଂଗ୍ରହ କରି ପରୀକ୍ଷଣ କରାଯାଉଛି । ୨୦୨୦-୨୧ ବର୍ଷରେ ୧୮୩ ତେଲ ନମୂନା ଯାଂଚ ମଧ୍ୟରୁ ୪୪ଟି ନିମ୍ନ ମାନର ଜଣାପଡିବାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଭୂପିନ୍ଦର ସିଂ, ଅଶ୍ୱିନୀ ପାତ୍ର, ପ୍ରମୋଦ ମଲ୍ଲିକ ଓ ଭାଗିରଥି ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।