ପଂଚମ ଦିନରେ ବି ଗୃହ ଅଚଳ , ଅପରାହ୍ନ ୪ ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଉଭୟ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ପାଇଁ ଆଜି ଗୃହର ପ୍ରଥମାର୍ଦ୍ଧ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଫଳରେ କ୍ରମାଗତ ଭାବେ ପଂଚମ ଦିନରେ ପ୍ରଶ୍ନୋତର ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରିନଥିଲା । ଏହା ବ୍ୟତୀତ ମୁଖ୍ୟ ବିରୋଧୀ ବିଜେପି ଦଳ ପକ୍ଷରୁ ଅଣାଯାଇଥିବା ରାଜ୍ୟ ସ୍ୱାର୍ଥଜନିତ ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସ୍ତାବ “ଷଡଯନ୍ତ୍ରରେ ଆମ ଜଙ୍ଗଲ ଜୀବନ ଯାଉଛି ଜଳିପୋଡି, ଗ୍ରୀଷ୍ମ ଋତୁରେ ରାଜ୍ୟର ପ୍ରାକୃତିକ ସମ୍ପଦ ଗଲାଣି ଉଜୁଡି ” ଉପରେ ଆଲୋଚନା ମଧ୍ୟ ସମ୍ଭବପର ହୋଇନଥିଲା । ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାପାଇଁ ବାରମ୍ବାର ଅନୁରୋଧ କରିବା ସହ ବେଲ୍ ବଜାଇଥିଲେ । ମାତ୍ର ତାର କୌଣସି ସୁଫଳ ମିଳିନଥିଲା । ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ପୂର୍ବାହ୍ନ ୧୦ଟା ୩୨ ମିନିଟ୍ ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଏହାପରେ ଗୃହର ବୈଠକ ପୁନର୍ବାର ଆରମ୍ଭ ହୋଇଥିଲା । କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ଗୃହ ଆରମ୍ଭ ହେବା ମାତ୍ରେ ମଧ୍ୟ ଭାଗକୁ ପଳାଇଆସି ନିଜ ନିଜ ଦାବିରେ ଅଟଳ ରହି ହୋ ହାଲ୍ଲା ଓ ନାରାବାଜୀ କରିଥିଲେ । ଅପରପକ୍ଷରେ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ସାଇଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବା ଦାବି ଦୋହରାଇଥିଲେ । ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ପୁଣି ୧୨ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇନଥିଲେ ହେଁ ପରମ୍ପରା ଅନୁଯାୟୀ ତାରକା ଚିହ୍ନିତ ପ୍ରଶ୍ନର ଉତର ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥାପନ କରିଥିଲେ । ହଟ୍ଟଗୋଳ ସମୟରେ ‘ଜୀବନ ହାରିଲେ ହତାଶ ଯେୁବ ଚାଷୀ’ ପ୍ରକାଶିତ ସମ୍ବାଦକୁ ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ବେଳେ ‘ଚାଷୀ ରକ୍ତ ପିପାଷୁ : କେନ୍ଦ୍ର ରାଜ୍ୟ ସରକାର’ ଲେଖାଥିବା ବ୍ୟାନର କଂଗ୍ରେସ ଦଳ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା । ବାଚସ୍ପତି ସୁରକ୍ଷା କର୍ମୀଙ୍କ ବଳୟରେ ଗୃହ ଚଳାଇବାର ଦେଖାଦେଇଥିଲା ।