-୨୦୩୬ ସୁଦ୍ଧା ଓଡିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ
– ‘ଉତ୍କଳ ଦିବସ’ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବୀରପୂତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
ପଶ୍ଚିମବଙ୍ଗ/ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ମହାପୁରୁଷମାନେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ ବୋଲି ଗୁରୁବାର ୮୬ତମ ‘ଉତ୍କଳ ଦିବସ’ ଅବସରରେ କୋଲକାତାର ହୁଗୁଲି ନଦୀ ପଠାରୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ସାମିଲ ହୋଇ ଓଡ଼ିଆ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୩୬ ସୁଦ୍ଧା ଓଡିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବରପୂତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପଶ୍ଚିମବଙ୍ଗର ପ୍ରବାସୀ ଓଡିଆଙ୍କ ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ସେ କହିଛନ୍ତି ଯେ ୨୦୩୬କୁ ଓଡ଼ିଶା ଭାଷାଭିତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ । ସେହିପରି ୨୦୪୭କୁ ମଧ୍ୟ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ହେବ । ଏହି ସମୟ ମଧ୍ୟରେ ଆମେ ଓଡ଼ିଶାକୁ ଶକ୍ତିଶାଳୀ ସମାଜ କରିବାକୁ ହେବ । କେବଳ ଭାରତବର୍ଷରେ ନୁହେଁ ବରଂ ବିଶ୍ୱରେ ଏକ ସମୃଦ୍ଧ ଅଂଚଳ ଭାବରେ ଗଢ଼ି ତୋଳିବାର ଦାୟିତ୍ୱ ଆମେ ନେବା ଦରକାର ।
ଓଡ଼ିଆ ଜାତି, ଭାଷା, ସଂସ୍କୃତି ଓ ଏହାର ପରମ୍ପରା ଅନନ୍ୟ । ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ, ରଘୁରାଜପୁରର ପଟ୍ଟଚିତ୍ର, ଓଡ଼ିଆ ଖାଦ୍ୟ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ଓଡିଆର ସାଧବପୁଅ ମାନେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରି ବାଣିଜ୍ୟ ବ୍ୟବସାୟ କରିବା ଆମର ପ୍ରାଚୀନ ଇତିହାସକୁ ଗର୍ବିତ କରିଛି । ଓଡ଼ିଶା ରାଜ୍ୟ କେବଳ ବାହ୍ୟ ଶତ୍ରୁର ଆକ୍ରମଣରୁ ନୁହେଁ ବରଂ ଦୁର୍ଭିକ୍ଷ, ମରୁଡ଼ି, ବାତ୍ୟାକୁ ମଧ୍ୟ ସହ୍ୟ କରିପାରି ନିଜର ପ୍ରବାହ ଜାରୀ ରଖିଛି । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ, ଖଣିଜ ସମ୍ବଳ, ପରିଶ୍ରମୀ ଓ ବୌଦ୍ଧିକ କ୍ଷମତା ସମ୍ପନ୍ନ ମାନବ ସମ୍ବଳ ସହ ଅପାର ସମ୍ଭାବନାର ଅଂଚଳ ଭାବରେ ପରିଗଣିତ ହୋଇଛି ।
ଉତ୍କଳ ଦିବସର ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରୁଛି ଯେ ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାବାସୀ ଅତୀତ ଭଳି ବର୍ତମାନ ମଧ୍ୟ ପରିଶ୍ରମ କରିବାର ଅଧିକ କ୍ଷମତା ପାଆନ୍ତୁ ଓ ସମସ୍ତେ ନିଜ ବ୍ୟକ୍ତଗତ ଜୀବନ ସହ ସାମାଜିକ ଜୀବନରେ ଅଧିକ ସଫଳ ହୁଅନ୍ତୁ । ଯେଉଁ ସଫଳତା ବିଶ୍ୱ ମାନବ ସଭ୍ୟତା ପାଇଁ ମଧ୍ୟ ସଫଳତା ଆଣିଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଫେସବୁକରେ ପଚରାଯାଇଥିବା ଓଡିଆ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ଶ୍ରୀମନ୍ଦିରର ବିକାଶ ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ଯେ ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର । ଇତିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଆସି ନିଜ ଦରମାରୁ ୧ ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି । ସମସ୍ତେ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗୀ ହେଲେ ବ୍ୟାଙ୍କ୍ ଗୁଡିକ ମଧ୍ୟ ଏଥିପାଇଁ ଭାଗିଦାରୀ ହେବେ ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନରେ ପଶ୍ଚିମ ଓଡିଶାର କଳା, ସଂସ୍କୃତିକୁ ଆଗେଇ ନେବା, ଭାବଗତ ସମ୍ପର୍କ ସହ ମାଲକାନଗିରି ସମେତ ରାଜ୍ୟରେ ସୀମା ବିବାଦର ସ୍ଥାୟୀ ସମାଧାନ ହେବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏତଦବ୍ୟତିତ ପ୍ରକୃତି ମାତାର ବରଦାନ ସଦୃଶ ଶିମିଳିପାଳ ଜଙ୍ଗଲକୁ ଅଗ୍ନିକାଣ୍ଡରୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଦାୟିତ୍ୱ ନେବା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଇସ୍ପାତ୍ କାରଖାନା ପ୍ରତିଷ୍ଠା ନେଇ ଥିବା ସମ୍ଭାବନା ଉପରେ ଆଲୋକପାତ କରିବା ସହ ସନ୍ଥକବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡିଥାଉ”, ଗୋପବନ୍ଧୁ ଦାସଙ୍କ “ନର ସେବା ହିଁ ନାରାୟଣ ସେବା” ବିଚାରଧାରାରେ ଓଡିଶାକୁ ଆଦର୍ଶ ରାଜ୍ୟ ଭାବେ ଗଢିବା ପାଇଁ ସମସ୍ତେ ସଂକଳ୍ପ ନେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।