ଭୁବନେଶ୍ୱର: ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ । ରାଜ୍ୟରେ କୋଟିଏ ଲୋକ ଟିକା ନେବେ । ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ । ଏଯାଏ ୨୦ ଲକ୍ଷ ୯୫ ହଜାର ଲୋକ ଟିକା ନେଇସାରିଛନ୍ତି ବୋଲି ଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ମୋଟ୍ ୮୮୨ ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଆଗକୁ ହଜାରେ କେନ୍ଦ୍ର କରାଯିବ ।ଏହାସହିତ ଦୈନିକ ଦେଢଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦ ଲକ୍ଷ ୯୫ ହଜାର ଲୋକଙ୍କୁ ଟିକାକରଣ କରିସାରିଲୁଣି । କେବଳ ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁଦିନ ଟିକାକରଣ ଚାଲିଛି ।
ଆମ ପାଖରେ ଭ୍ୟାକ୍ସିନର ଅଭାବ ଥିଲା କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଆମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ କୋଭାସିଲ୍ଡ଼ ଟିକା ପାଇବୁ ଏବଂ କୋଭାକ୍ସିନ ଟିକା ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏପ୍ରିଲ ପ୍ରଥମ ସପ୍ତାହରୁ ଭ୍ୟାକ୍ସନ ସେଂଟରର ସଂଖ୍ୟା ବଢିବ । ଏହାସହ ପ୍ରତ୍ୟେକ ଦିନ ଦେଢଲକ୍ଷ ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ବାହାରୁ ଫେରୁଥିବା ଲୋକଙ୍କ ଉପରେ ନଜର
କୋଭିଡ୍ ସ୍ଥିତି ଉପରେ ଏସଆରସିଙ୍କ ଗାଇଡ୍ଲାଇନ୍ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ । ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଏଥି ସହିତ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ସେ କହିଛନ୍ତି ଯେ କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ ରିପୋର୍ଟ ଦେବାକୁ ହେବ । ୩ ଦିନ ତଳର ନେଗେଟିଭ ରିପୋର୍ଟ ନେଇ ଆସିବାକୁ କୁହାଯିବ । ଏଥିସହ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଥିଲେ ବି, ସ୍ଥାନୀୟ ସଂକ୍ରମଣ ନୁହେଁ ।
ଗତ ୨୩ ତାରିଖରୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ ଜାରି ରଖିଛି । ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍ ଟିମ୍ ତଦାରଖ କରିବ । ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଅଧିକ ହେଉଥିବାରୁ ସେଠାରେ ଟିମ୍ ସଂଖ୍ୟା ଅଧିକ କରି ଟେଷ୍ଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।
ଅପରପକ୍ଷରେ ଏକ୍ସଆଇଏମବିରେ କରୋନା ପଜିଟିଭ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନର ୨୦୪ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ବର୍ତମାନ ସ୍ଥିତିରେ ଏଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ସେ କହିଛନ୍ତି ।