ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

-ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
-୧୬ ପ୍ଲାଟୁନ୍ ଫୋର୍ସ ମୁତୟନ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରୀ ରହିଥିବା ବେଳେ ରାଜକନିକା ବ୍ଲକର ଭାରିଗଦା ଠାରେ ଆଜି ପୋଲିସ ଓ ପ୍ରକଳ୍ପ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆନ୍ଦୋଳନକାରୀ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଛି । ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କମ୍ପାନୀ ଯନ୍ତ୍ରାଶଂ ସହିତ ଆମ୍ବୁଲାନ୍ସ ଓ କାର୍ଯ୍ୟରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ପ୍ରକାଶ ଥାଉକି, ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରାଜକନିକା ବ୍ଲକର ବାଳକାଟି, ବରୁଣାଡ଼ିହା ଓ ଭାରିଗଦା ପଚାଂୟତରେ ୧୦ ତାରିଖ ସକାଳ ଠାରୁ ୧୪୪ ଧାରା ବଳବତର ରହିଛି । ପ୍ରକଳ୍ପ ସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏହା ସତ୍ୱେ ଆଜି ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ସେଠାରେ ଏକାଠି ହୋଇ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।