ଭୁବନେଶ୍ୱର: ମୋଦୀ ସରକାର ଅମଳରେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡିଆପୁଅଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଆର୍ବିଆଇ ଗଭର୍ଣ୍ଣର ପଦରେ ହୁଅନ୍ତୁ କି ସିଏଜି ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସୀନ ଅଛନ୍ତି ଓଡିଆ ପୁଅ । ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ ମିଳିଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସ୍ଥଳସେନାର ଉପ-ସେନାମୁଖ୍ୟ ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ସାଉଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଚିଫ୍ ଭାବେ ଅବସ୍ଥାପିତ ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଶାସକ ଜିତେନ୍ଦ୍ର କୁମାର ମହାନ୍ତି ଓ ମା’ସାରଦା କୁମାରୀ ମହାନ୍ତିଙ୍କ ପୁଅ । ଜଗତ୍ସିଂହପୁର ଏସ୍ଭିଏମ୍ କଲେଜର
ଓଡିଆ ପ୍ରଫେସର ଥିଲେ ତାଙ୍କ ମା’ ସାରଦା ମହାନ୍ତି । ଓଡିଶାରେ ପିଏଚ୍ଡି କରିବାରେ ସାରଦା ହେଉଛନ୍ତି ପ୍ରଥମ ମହିଳା । ସ୍ଥାନୀୟ ବାଘସାହୀ ଗାଁ ୟୁପି. ସ୍କୁଲରେ ପାଠ ପଢିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ସି.ପି.ମହାନ୍ତି । ଡେରାଡୁନ ସ୍ଥିତ ରାଷ୍ଟ୍ରୀୟ ମିଲିଟାରୀ କଲେଜରେ ପଢିବା ପରେ ନ୍ୟାସନାଲ ଡିଫେନ୍ସ -ଏନ୍ଡିଏରେ ଯୋଗଦେଇଥିଲେ ।
୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗଦେଇ କ୍ୟାରିୟର ଆରମ୍ଭ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ସି.ପି .ମହାନ୍ତି । ଆସନ୍ତାକାଲି ସେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଭୁବନେଶ୍ୱରସ୍ଥିତ ସୈନିକ ହାଇସ୍କୁରେ ୨୦ ତାରିଖରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବେ ବୋଲି ସୂଚନା ମିଳିଛି । ସେ ୩୮ ବର୍ଷର ନିଜର କ୍ୟାରିୟରରେ ପାକିସ୍ତାନ ଓ ଚୀନ୍ ସୀମା ସହିତ ଅନେକ ଅପରେସନରେ ଫ୍ରଣ୍ଟଲାଇନରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେ ଜାମ୍ମୁ-କାଶ୍ମୀରର ଏଲ୍ଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟ କରିଛନ୍ତି । ଏପରିକି ଆସାମରେ ଏନ୍ଡିଏଫ୍ବି ଓ ଉଲ୍ଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା “ଅପରେସନ୍ ଅଲ୍ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନ୍ର ନେତୃତ୍ୱ ନେଇଥିଲେ । ସେ ଚୀନ୍ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରଥମ ଦୁଇ ବ୍ରିଗେଡ୍ କମାଣ୍ଡ ସମ୍ଭାଳିବାର ଉପଲବ୍ଧି ହାସଲ କରିଛନ୍ତି । ସେ କଙ୍ଗୋ ବହୁରାଷ୍ଟ୍ରୀୟ ଜାତିସଂଘର ବ୍ରିଗେଡ୍ ପ୍ରମୁଖ ଭାବେ ମନୋନୀତ ହୋଇଛନ୍ତି । ସେଠାରେ ସେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ଅନେକ ହେଲି ବର୍ଣ୍ଣେ ଅପରେସନ୍ ରେ ସଫଳତାପୂର୍ବକ ନେତୃତ୍ୱ ନେଇଛନ୍ତି ।
ସେ ୨୦୧୪ରେ ଜାତିଗତ ହିଂସାକାଣ୍ଡ ତୁରନ୍ତ ପରେ କାଉଣ୍ଟର ଇମରଜେନ୍ସି ଅପରେସନରେ ଆସାମରେ ଏକ ଡିଭିଜନ୍ର କମାଣ୍ଡ ସମ୍ଭାଲିଛନ୍ତି । ଏହି ଡିଭିଜନ ଏନ୍ଡିଏଫ୍ବି ଓ ଉଲ୍ଫା ଉଗ୍ରବାଦୀଙ୍କ ବିରୋଧରେ ଅନେକ ସଫଳ ଅପରେସନ କରିଛି । ଏହା ଆସାମରେ ଶାନ୍ତି ଫେରାଇ ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ନୂଆଦିଲ୍ଲୀ ଆର୍ମି ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟ୍ରାଟେଜିକ ମୁଭ୍ମେଣ୍ଟ୍ରେ ମହାନିର୍ଦ୍ଦେଶକ ଭାବେ ସମ୍ମାନଜନକ ପଦବୀରେ ମହାନ୍ତି ନିଯୁକ୍ତ ହୋଇଥିଲେ । ଜେନେରାଲ ମହାନ୍ତି ସିକ୍କିମର ଡୋକଲାମ୍ରେ ୨୦୧୮ରେ ଚୀନ୍ ସହ ଦୀର୍ଘ ଦିନ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତି ସମମୟରେ ସେନାର କମାଣ୍ଡେଣ୍ଟ ପଦରେ ରହି ସମସ୍ୟାର ସମାଧାନ ଦିଗରେ ନିଜର ଯୋଗଦାନ ଦେଇଛନ୍ତି । ଅପରପକ୍ଷେ ଜେନେରାଲ ମହାନ୍ତିଙ୍କ ପତ୍ନୀ ମାମୁନ ମହାନ୍ତି ବହୁମୁଖୀ ପ୍ରତିଭାର ଅଧିକାରିଣୀ । ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ବର୍ତ୍ତମାନ ଆୱାରେ ଆଞ୍ଚଳିକ ଅଧ୍ୟକ୍ଷ ଅଛନ୍ତି । ସେ ଭୌତିକ ବିଜ୍ଞାନରେ ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ଏବଂ ଶାସ୍ତ୍ରୀୟ ନୃତ୍ୟରେ ଆହ୍ଲାବାଦ ବିଶ୍ୱ ବିଦ୍ୟାଳୟରୁ ସ୍ୱର୍ଣ୍ଣପଦଜ ଜିତିଛନ୍ତି । ସେ ଜଣେ ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ । ପେଣ୍ଟିଂ, ସଙ୍ଗୀତ ଏବଂ ବ୍ଲକ୍ ପ୍ରିଣ୍ଟିଂରେ ରୁଚି ମଧ୍ୟ ରହିଛି । ସେ ଜଣେ ଏକାଡେମୀକ୍ କାଉନ୍ସିଲର ମଧ୍ୟ ଅଟନ୍ତି ।