ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଛି । ମୃତା ନାବାଳିକାର ମା’ ସୌଦାମିନୀ ସାହୁ ସୁପ୍ରିମ୍କୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ସ୍ୱଚ୍ଛ, ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଆବେଦନରେ ସେ ଦର୍ଶାଇଛନ୍ତି । ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ସହ ସିବିଆଇକୁ ନୋଟିସ୍ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ଓ ରବି ଶର୍ମା ବେଞ୍ଚ ଆଗରେ ଉପସ୍ଥିତ ରହି ପକ୍ଷ ରଖିଥିଲେ । ଏବେ ମାମଲାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି କରି ସୌଦାମିନୀ ଆଜି ସୁପ୍ରିମ୍କୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି । ସମ୍ବିଧାନର ଧାରା ୩୨ ଅନୁସାରେ (ମୌଳିକ ଅଧିକାର ହନନ)ଏହି ରିଟ୍ ପିଟିସନ୍ ଦାୟର କରାଯାଇଛି । ଏହି ଆବେଦନରେ ସେ ଦର୍ଶାଇଛନ୍ତି ଯେ, ତାଙ୍କ ୫ବର୍ଷର ଝିଅକୁ ସ୍ପଷ୍ଟ ଦିବାଲୋକରେ ଅପହରଣ ପରେ ହତ୍ୟା କରାଯାଇଛି । ମାମଲାକୁ ଭଣ୍ଡୁର ପାଇଁ ପୋଲିସ, କ୍ରାଇମବ୍ରାଞ୍ଚ ଓ ଏସ୍ଆଇଟି ଉଦ୍ୟମ କରିଛନ୍ତି । ତକ୍ରାଳୀନ ନୟାଗଡ଼ ସଦର ଥାନା ଆଇଆଇସିଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିନାହିଁ ଏସ୍ଆଇଟି । ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଯାଇଛି । ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାକୁ ସୌଦାମିନୀ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏବେ ଏସ୍ଆଇଟି ତଦନ୍ତ କରୁଥିବା ବେଳେ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱ ନେଉଛନ୍ତି । ୨୦୧୨ରେ ବୋଥ୍ରା ସିବିଆଇ ଡିଆଇଜି ଭାବେ କାର୍ଯ୍ୟରତ ଥିବାବେଳେ ଉର୍ତ୍ସଗୀକୃତ ସେବା ପାଇଁ ମେଡାଲ ପାଇଥିଲେ । ଗତ ୧୨ ତାରିଖରେ ହାଇକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣିରେ ଏସ୍ଆଇଟିର ତଦନ୍ତ ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ସିବିଆଇ ତଦନ୍ତ ନେଇ ଆବେଦନ ଉପରେ ସୁପ୍ରିମ୍କୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।