ପିପିଲି: ପିପିଲି ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ନେଇ ରାଜନେତାମାନେ ଚିନ୍ତାରେ ରହିଛନ୍ତି । ଆଶାୟୀମାନଙ୍କର ମଧ୍ୟ ସମାନ ଅବସ୍ଥା । କିଏ ପ୍ରାର୍ଥୀ ହେବ ତାହାର ସୁରାକ ମିଳୁନଥିବାରୁ କେତେକ ଆଶାୟୀ ଖୁଲମଖୁଲା ନିର୍ବାଚନମଣ୍ଡଳୀରେ ବୁଲି ପାରୁନାହାନ୍ତି । ଫଳରେ ଜନସଂପର୍କ ତିଆରି ହୋଇ ପାରୁନାହିଁ । ସମାନ ଭାବେ ଭୋଟର ମଧ୍ୟ ପ୍ରାର୍ଥୀ କିଏ ହେବ ତାହା ଆକଳନ କରି ପାରୁନାହାନ୍ତି ।
ଏପରି ଅବସ୍ଥାରେ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ଉପନିର୍ବାଚନ ଲଢିବା ପାଇଁ ଆଶାୟୀମାନେ ଥିବା ବେଳେ ଖାଲି ପଡିଥିବା ଏହି ବିଧାନସଭା ଆସନର ଉପନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଗତ ଅକ୍ଟୋବର ୪ତାରିଖରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ପିପିଲିରେ ଉପ ନିର୍ବାଚନର ଆବଶ୍ୟକତା ପଡିଛି । ନିୟମ ଅନୁସାରେ ୬ମାସ ମଧ୍ୟରେ ନିର୍ବାଚନ ତାରିଖ କାହିଁକି ଘୋଷଣା ହେଉନି ବୋଲି ଦର୍ଶାଇ ଆବେଦନକାରୀ ସୁପ୍ରିମକୋର୍ଟର ଆଇନଜୀବୀ ସମରେନ୍ଦ୍ର ବେଉରା ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଜନପ୍ରତିନିଧି ଆଇନର ଧାରା ୧୫୧-କ, ୧୪୯ ଓ ଅନ୍ୟାନ୍ୟ ଧାରା ଅନୁସାରେ କୌଣସି କାରଣରୁ ବିଧାନସଭା ଆସନ ଖାଲିପଡିଲେ ୬ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ରହିଛି । କିନ୍ତୁ ପିପିଲି ବିଧାନସଭା କ୍ଷେତ୍ରର ଉପନିର୍ବାଚନ ପାଇଁ ଅଦ୍ୟାବଧି କୌଣସି ବିଜ୍ଞପ୍ତି ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏହି ମାମଲାରେ କେନ୍ଦ୍ର ନିର୍ବାଚନ କମିଶନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି ।
ଏହି ଉପନିର୍ବାଚନ ପ୍ରସଙ୍ଗ ଉଚ୍ଚନ୍ୟାୟାଳୟକୁ ଯିବା ପରେ ଅଞ୍ଚଳରେ ଉପନିର୍ବାଚନ ଅନିଶ୍ଚିତତାକୁ ନେଇ ଚର୍ଚ୍ଚା ଜୋରଧରିଛି । ଅତୀତରେ ବିଜେପୁର ଉପନିର୍ବାଚନକୁ ନେଇ ସମାନ ଅବସ୍ଥା ଦେଖାଦେଇଥିଲା । ସେ ସମୟରେ ବିଜେପି ପ୍ରତି ଅନ୍ୟ ରାଜନୈତିକ ଦଳଗୁଡିକ ଆଙ୍ଗୁଠି ଦେଖାଇଥିଲେ । ସେହି ସମାନ ସ୍ଥିତି ଏବେ ପିପିଲିରେ ଦେଖାଦେଇଛି । କେନ୍ଦ୍ର ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରୁନଥିବାରୁ ପିପିଲିରେ ବିଜେପି ହାରିଯିବା ଭୟରେ ପ୍ରକ୍ରିୟାକୁ ବିଳମ୍ବ କରୁଛି ବୋଲି ଅଭିଯୋଗ ହେଉଛି । ଆହୁରି ମଧ୍ୟ ମହାରଥୀଙ୍କ ମୃତ୍ୟୁ ପରବର୍ତ୍ତୀ ସମବେଦନାକୁ କମାଇବା ପାଇଁ ବିଜେପିର ଏହା ଏକ ଚାଲ ବୋଲି ମଧ୍ୟ ଏକାଧିକ ରାଜନୈତିକ ଦଳର ଶିବିରରେ ଚର୍ଚ୍ଚା ହେଉଛି ।
ପିପିଲି ଏମିତି ଏକ ନିର୍ବାଚନମଣ୍ଡଳୀ ଯେଉଁଠାରୁ ମହାରଥୀ ସାତଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହାରିନାହିଁ ମହାରଥୀ, ସରିନାହିଁ ରାଜନୀତି ବୋଲି କହି କହି ମହାରଥୀ ବିଜୟ ହାସଲ କରିଚାଲିଥିଲେ । ବିଜୁ ଜନତାଦଳ ଗଠନ ପରଠାରୁ ଏଠାରେ କେବଳ ବିଜେଡି ଅର୍ଥାତ ମହାରଥୀ ହିଁ ବିଜୟୀ ହୋଇଛନ୍ତି । ମହାରଥୀଙ୍କ ବିୟୋଗରେ ବିଜେଡିର ଗଡ ବୋଲି କୁହାଯାଉଥିବା ଏହି ଆସନକୁ ହାତେଇବା ପାଇଁ ବିଜେପି ଏହାକୁ ଏକ ସୁଯୋଗ ବୋଲି ଧରିନେଇ ଦିନ ଗଡାଇ ଚାଲୁଛି ବୋଲି ଆଲୋଚନା ହେଉଛି ।