ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ: ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି, ୩୦ ସୁଦ୍ଧା ନାମାଙ୍କନ ଦାଖଲ

ପିପିଲି: କଳ୍ପନା ଜଳ୍ପନାର ଅବସାନ ଘଟିଲା । ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଏପ୍ରିଲ ୧୭ରେ ହେବ ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପନିର୍ବାଚନ । ମଇ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ । ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହିପରି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି । ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ରହିଛି ।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ । ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବ୍ଦବା ରହି ଆସିଛି । ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ ।

ତେବେ ପ୍ରଥମଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ । ବିଜେଡିର ଅଭେଦ୍ୟ ଦୁର୍ଗ ରହିଆସିଥିବା ପିପିଲି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେପିରୁ ଦଳର ଜିଲ୍ଲା ସଭାପତି ଭାବେ ମଙ୍ଗ ଧରିଥିବା ଆଶ୍ରିତ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି । ଅଞ୍ଚଳବାସୀଙ୍କ ପ୍ରମୁଖ ସମସ୍ୟାକୁ ଅସ୍ତ୍ର କରାଯାଇ ଘନଘନ ପ୍ରଚାର ଆରମ୍ଭ ହୋଇଛି । ପିପିଲି ଉପନିର୍ବାଚନରେ ଜିତି ନିଜର ପତିଆରା ଜାହିର କରିବାକୁ ୨ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଶାସନିକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେଡି, ବିଜେପି ଓ କଂଗ୍ରେସ ସମାନ୍ତରାଳ ପଦକ୍ଷେପ ନେଉଥିବା ନଜର ଆସୁଛି ।

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା । ତେବେ ଏହା ପୂର୍ବରୁ ଏହି ସମ୍ମାନଜନକ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଯାଇଥିଲା । ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ଯେ, ଉପନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ସେ ଖୁସି ହେବେ । ଦଳୀୟ ମୁଖ୍ୟଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖିଲେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପତ୍ନୀ ରାଜନୀତିକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି ।

ଅନ୍ୟପଟେ ବିଜେପି ପରାଜିତ ପ୍ରାର୍ଥୀ ଆସ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପିପିଲି ମଇଦାନରେ ଓହ୍ଲାଇବାର ସମ୍ଭାବନା ରହିଛି । କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳରେ ବିଚାର ବିମର୍ଶ ଜାରି ରହିଛି । ୨୦୧୯ ନିର୍ବାଚନରେ ଏହି ଆସନରେ ଶାସକ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆସ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମାତ୍ର ୯,୮୩୦ ଭୋଟ୍ ସାଉଁଟିବାରେ ସକ୍ଷମ ହୋଇଥିଲେ ।

ଓଡ଼ିଶା ସମେତ ୨ ଲୋକସଭା ଓ ୧୪ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା :

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଆଜି ଦେଶ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୪ଟି ବିଧାନସଭା ଆସନ ଓ ୨ଟି ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଏଥିରେ ଓଡ଼ିଶାର ପିପିଲି ମଧ୍ୟ ରହିଛି । ଆନ୍ଧ୍ରପ୍ରଦେଶର ତିରୁପତି ଓ କର୍ଣ୍ଣାଟକର ବେଲଗମ ଲୋକସଭା ଆସନରେ ଆସନ୍ତା ଏପ୍ରିଲ ୧୭ରେ ଉପନିର୍ବାଚନ ହେବ । ଏହାବାଦ ଗୁଜରାଟର ମୋରଭା ହାଡଫ, ଝାରଖଣ୍ଡର ମଧୁପୁର, କର୍ଣ୍ଣାଟକର ବସଭକଲ୍ୟାଣ, ମସ୍କି, ମଧ୍ୟପ୍ରଦେଶର ଦାମୋ,ମହାରାଷ୍ଟ୍ରର ପଣ୍ଡହରପୁର,ମିଜୋରାମର ସେରଚିପି, ନାଗାଲ୍ୟାଣ୍ଡର ନୋକସେନ, ଓଡ଼ିଶାର ପିପିଲି, ରାଜସ୍ଥାନର ସାହାରା, ସୁଜନଗଡ଼, ରାଜସମ୍ପଣ୍ଡ, ତେଲେଙ୍ଗାନାର ନାଗାର୍ଜୁନସାଗର ଓ ଉତ୍ତରାଖଣ୍ଡର ସଲ୍ଟ ବିଧାନସଭା ଉପନିର୍ବାଚନ ପାଇଁ ୧୭ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୩୦ ମାର୍ଚ୍ଚ ରହିଥିବା ବେଳେ ଏପ୍ରିଲ ୩ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

ଆସନ୍ତା ମଇ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ମଇ ୨ରେ ମଧ୍ୟ ପଶ୍ଚିମବଙ୍ଗ, ଆସାମ,  କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଆଜି ଘୋଷଣା ହୋଇଥିବାରୁ ସବୁ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଚରଣବିଧି ଲାଗୁ ହୋଇଛି ।