ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଜି ବିଜେଡ଼ି ପିପିଲି ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ହେବା ନେଇ ମୋହର ମାରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।
ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପିପିଲି ଆସନ । ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ପୂର୍ବରୁ ନିର୍ବାଚନ କମିସନ ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପିପିଲିରେ ଉପନିର୍ବାଚନ ହେବା ନେଇ ସବିଶେଷ ତର୍ଜମା କରିଛନ୍ତି । କୋଭିଡ୍ ଗାଇଡ୍ଲାଇନ୍କୁ କିପରି ପାଳନ କରି ଭୋଟର ମତଦାନ କରିପାରିବେ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି ।
ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନା ଜାରି ରହିଥିଲା । ପୁଅ ରୁଦ୍ର ମହାରଥି କିମ୍ବା ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ସେ ନେଇ ଦଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଗୋଟେପଟେ ନିର୍ବାଚନକୁ ମାତ୍ର ହାତରେ ଅଳ୍ପ ଦିନ । ଏନେଇ ମୈଦାନକୁ ବିଜେପି ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇ ସାରିଥିବା ବେଳେ ବିଜେଡି ମଧ୍ୟ ରୁଦ୍ର ମହାରଥୀଙ୍କୁ ଅବତୀର୍ଣ୍ଣ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।
‘ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’
ପିପିଲି ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଗତକାଲି ବିଜେପି ପରେ ଶୁକ୍ରବାର ଶାସକ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଦଳ ସମସ୍ତ କଳ୍ପନାକଳ୍ପନାର ଅବସାନ ଘଟାଇ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରାର୍ଥୀ ଘୋଷଣା ହେବା ପରେ ରୁଦ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ । ଏବେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି । ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି । ଆଶା କରୁଛି ପିପିଲି ଓ ଡେଲାଙ୍ଗବାସୀ ମୋତେ ସହଯୋଗ କରିବେ । ସେ କହିଛନ୍ତି ଯେ, ମୁଁ ଟିକେଟ୍ ପାଇବା ଯାହା ମା’ ପାଇବା ସେୟା । ମା’ଙ୍କ ସହଯୋଗ ସର୍ବଦା ମୋ ପାଖରେ ଅଛି ବୋଲି ରୁଦ୍ର କହିଛନ୍ତି ।
ପ୍ରାର୍ଥୀପତ୍ର ଦାଖଲ କଲେ ଆଶ୍ରିତ
ପିପିଲି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ତାଙ୍କର ନିର୍ବାଚନୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ଆଶ୍ରିତ ପିପିଲିରୁ ପୁରୀ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନାମାଙ୍କନ ପାଇଁ ବାହାରିଥିଲେ । ଏହି ଅବସରରେ ସେ ନାମାଙ୍କନପତ୍ର ଦାଖଲ କରିଥିଲେ ପୁରୀ ଏଡିଏମ୍ଙ୍କ କାର୍ଯାଳୟରେ ।
ପିପିଲିସ୍ଥିତ ଶଙ୍କଟମୋଚନ ମନ୍ଦିରରେ ପୂଜାର୍ଚ୍ଚନା ସହ ଶ୍ରୀ ହନୁମାନଜୀଙ୍କ ଆଶିର୍ବାଦ ଭିକ୍ଷା କରି ଆଶ୍ରିତ ନାମାଙ୍କନ ପତ୍ର ଦାଖଲ ନିମନ୍ନେ ନିଜ ଦଳବଳ ସହ ଦିନ ପ୍ରାୟ ଣ୍ଟଣ୍ଟଟାବେଳେ ପୁରୀ ଅଭିମୁଖେ ବାହାରିଥିଲେ । ଶ୍ରୀ ପଟ୍ଟନାୟକ ସଙ୍କଟମୋଚନ ମନ୍ଦିରଠାରୁ ବାହାରି ଚାଲିଚାଲି ବଜାର ପରିକ୍ରମା କରି ହାଟଛକ ପର୍ଯ୍ୟନ୍ତ ଯାଇଥିଲେ ।
ସେଠାରୁ ଏକ ଖୋଲା ଜିପରେ ପୁରୀ ଅଭିମୁଖେ ଆଗେଇଥିଲେ । ପିପିଲି ଛାଡିବା ପରେ ଆଶ୍ରିତଙ୍କୁ ତେଇସିମାଇଲ ଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର, ସାତଶଙ୍ଖ ଆଦି ସ୍ଥାନମାନଙ୍କରେ ଅପେକ୍ଷା କରିଥିବା ମହିଳା, ପୁରୁଷ ସମର୍ଥକ ଓ ଶୁଭେଚ୍ଛୁମାନେ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ବିଜୟ କାମନା କରିଥିଲେ ।
ପୁରୀର ପ୍ରବେଶ ପଥରେ ସେ ମା’ବାଟମଙ୍ଗଳାଙ୍କଠାରୁ ଆଶିର୍ବାଦ ଭିକ୍ଷା କରି ନାମାଙ୍କନପତ୍ର ଦାଖଲ କରିବାକୁ ଏଡିଏମ୍ ଅଫିସ ପହଞ୍ଚିଥିଲେ । ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ସଂପାଦିକା ପ୍ରଭାତୀ ପରିଡା, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ,ବରିଷ୍ଠ ନେତ୍ରୀ ସୁରମା ପାଢୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଦଳର ଅନ୍ୟତମ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୁରୀ ଜିଲ୍ଲା ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର, ପୁରୀ ଜିଲ୍ଲା ପୂର୍ବତନ ସଭାପତି ପ୍ରଭଂଜନ ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଜନ୍ମେଜୟ ଜେନା,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯୁବନେତା ତଥା ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ବରିଷ୍ଠ ନେତା କୃତିବାସ ମହାପାତ୍ର, ପିପିଲି ନଗରାଞ୍ଚଳ ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ ସମେତ ଦଳର ସମସ୍ତ ମଣ୍ଡଳ ସଭାପତି ସଭାପତି ଓ ଅନ୍ୟ କାର୍ଯ୍ୟକର୍ତ୍ତା ଆଶ୍ରିତଙ୍କ ଶୋଭାଯାତ୍ରାରେ ସାମିଲ ହୋଇ ପୁରୀ ଯାଇଥିଲେ ।