ପିଏମ୍‌-ସିଏମ୍‌ ଆଲୋଚନା : ଆଉ ଲକ୍‌ଡାଉନ୍ ସ୍ଥିତିକୁ ଫେରିବାନି

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାକୁ ନେଇ ଏବେ ସବୁଠି ପୁଣି ଚର୍ଚ୍ଚା ଆରମ୍ଭ ହେଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜ୍ୟ ସମେତ ଦେଶର ପ୍ରାୟ ୭୦ ଜିଲ୍ଲାରେ କରୋନା ସଂକ୍ରମଣ ହାର ୧୫୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ତେବେ ଦେଶରେ ଏଭଳି ସ୍ଥିତି ଉପୁଜିବାରୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲାଚେନା କରିଛନ୍ତି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଧାସଳଖ କହିଛନ୍ତି ଯେ, ସଂକ୍ରମଣ ରୋକିବାକୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ ଲକ୍‌ଡାଉନ୍ ଯୁଗକୁ ଫେରି ହେବନାହିଁ ।

ଗତ ଏକ ବର୍ଷ ଧରି ବିଶ୍ୱ କୋଭିଡ୍ ମହାମାରୀ କାରଣରୁ ଏଭଳି ସଂକଟ ଦେଖୁଛି ଯାହାର କୌଣସି ଉଦାହରଣ ନାହିଁ । ବିଶ୍ୱରପ୍ରତିକୋଣରେ ଏହି ଭୂତାଣୁ ପ୍ରବେଶ କରିଥିବା କାରଣରୁ ଏହା ସମସ୍ତଙ୍କ ପାଇଁ ଏକ କଷ୍ଟକର ବର୍ଷ ହୋଇଛି । ପରିବାର ଓ ସମାଜ କେବଳ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତି ଓ ଜୀବିକା ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା ବେଳେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଆମେ ପ୍ରତିବର୍ଷ ବାତ୍ୟା ଭଳି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥାଉ ।

ଆମ ପ୍ରଶାସନିକ ଦଳ ଏଭଳି ସଂକଟର ମୁକାବିଲା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଓଡ଼ିଶାବାସୀଙ୍କ ସହଯୋଗ କାରଣରୁ ଆମେ ମହାମାରୀକୁ ନିୟନ୍ତ୍ରିତ କରିବା ଓ କ୍ଷତିକୁ ବହୁତ ସୀମିତ କରିବାରେ ସଫଳ ହୋଇଛୁ । ସଂକଟ କାଳରେ ଆମ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ବ୍ୟବସ୍ଥା ଅହରହ କାର୍ଯ୍ୟ କରୁଥିଲେ । ଭ୍ୟାକ୍ସିନ୍ ଆସିବା ଦ୍ୱାରା ମହାମାରୀ ଅନ୍ତ ପାଖେଇ ଆସୁଛି ବୋଲି ଆଶା ସୃଷ୍ଟି ହୋଇଛି ।

ଏତେ ଶୀଘ୍ର ଭ୍ୟାକ୍ସିନ ବିକାଶ କରିବା ପାଇଁ ଆମେ ବୈଜ୍ଞାନିକଙ୍କ ପାଖରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଆମ ପାଇଁ ଗର୍ବର ବିଷୟ ଯେ, ଭାରତ ଟିକା ତିଆରି କରିବାରେ ସର୍ବାଗ୍ରେ ରହିଛି । ଟିକାକରଣକୁ ଅଧିକ ଜୋରଦାର କରିବା ଲାଗି ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନେକ ଦେଶ ତଥା ଭାରତର କିଛି ରାଜ୍ୟରେ କରୋନା ପୁଣି ଥରେ ମୁଣ୍ଡ ଟେକୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଲକ୍‌ଡାଉନ୍ ଯୁଗକୁ ଆମେ ପୁଣିଥରେ ଫେରିବା ସମ୍ଭବ ନୁହେଁ । ଏହା ସହିତ ଭୂତାଣୁ ସଂକ୍ରମଣକୁ ଯେପରି ରୋକାଯିବ ସେନେଇ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ବିଶାଳ ଜନସଂଖ୍ୟା କାରଣରୁ ହାର୍ଡ ଇମ୍ୟୁନିଟି ପାଇଁ ଅଧିକ ସମୟ ଲାଗିବ । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଆମେ କୋଭିଡ୍ ବିରୋଧରେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଜାରି ରଖିବୁ ।