-ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କୁ ମଧ୍ୟ ଗିରଫ କରା ଯାଉ
ଭୁୁବନେଶ୍ୱର: କନ୍ଧମାଳ ଜଳେଶପେଟା କନ୍ୟାଶ୍ରମର ପରିଚାଳନା ଦାୟିତ୍ୱରେ ଥିବା ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀଙ୍କୁ ଯେଉଁ ଭଳି ଭାବେ ଧମକ ଦିଆ ଯାଇଛି ତାହା ନିନ୍ଦନୀୟ । ଏହି ମାମଲାରେ ରାଜ୍ୟ ସରକାର ସ୍ୱାମୀଜୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବା ସହ ଓ ଏହାର ଜାଂଚ କରି ଧମକ ଦେଉଥିବା ଲୋକ ମାନଙ୍କୁ କଠୋର ଦଣ୍ଡ ଦିଅନ୍ତୁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହା ଯାଇଛି ।
ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିଶ୍ୱ ହିନ୍ଦୂ ପରିଷଦର ଓଡିଶା (ପୂର୍ବ) ଶାଖାର ସଂପାଦକ ପ୍ରଶାନ୍ତ ପଣ୍ଡା କହିଛନ୍ତି ଯେ ଠିକ ଏହି ପରି ଧମକ ଦେବା ପରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରା ଯାଇଥିଲା । ତାଙ୍କୁ ହତ୍ୟା କରା ଯିବାକୁ ଏତେ ବର୍ଷ ବିତି ସାରିଲେ ମଧ୍ୟ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କୁ ଆଜି ପର୍ଯ୍ୟନ୍ତ ଧରା ଗଲା ନାହିଁ । ଏବେ ପୁଣି ଥରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ ଆସିଛି । ଏପରି ଲାଗୁଛି ଯେ ହିନ୍ଦୁ ଏଠାରେ ଅସୁରକ୍ଷିତ ହୋଇ ଯାଇଛି । ତେଣୁ ବିଶ୍ୱ ହିନ୍ଦୁ ପରିଷଦ ସ୍ୱାମୀଜୀଙ୍କୁ ଆବଶ୍ୟକୀୟ ସୁରକ୍ଷା ଓ ଧମକ ପ୍ରଦାନକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କୁ ମଧ୍ୟ ଗିରଫ କରିବାର ଦାବି କରୁଛି ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟା ଆଶ୍ରମ ଦାୟୀତ୍ୱରେ ଥିବା ସ୍ୱାମୀ ଜୀବନମୁକ୍ତା ନନ୍ଦଙ୍କୁ ହତ୍ୟା କରିବା ପାଇଁ ଫୋନ୍ ମାଧ୍ୟମରେ ଧମକ ଦିଆଯାଇଛି । ଏନେଇ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀ ଶନିବାର ଦିନ ଥାନାରେ ଏତଲା କରିଥିଲେ । । ଏତଲାକୁ ଭିତି କରି ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଶନିବାର ଅପରାହ୍ନ ସାଢ଼େ ୫ଟା ସମୟରେ ତାଙ୍କ ମୋବାଇଲକୁ ଏହି ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ସେ ଏତଲାରେ ଦର୍ଶାଇଛନ୍ତି । ସେ ଏତଲାରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ଫୋନ୍ କଲ୍ ରେ ଜଣେ ବ୍ୟକ୍ତି ହିନ୍ଦୀ ଭାଷାରେ ନିଜକୁ ନକ୍ସଲର ପରିଚୟ ଦେଇ ତାଙ୍କୁ ଚାରି ଦିନ ଭିତରେ ଜୀବନରୁ ମାରିଦେବା ସହ ଜଲେଶପଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦେଇଛି ।
ସୂଚନାଯୋଗ୍ୟ, ଏହି ଆଶ୍ରମରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣା ପରେ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।