ସୁଦୂର ହିମାଳୟ ପର୍ବତ ଶିଖରରେ ଫୁଟୁଥିବା ଦୁର୍ଲଭ ବ୍ରହ୍ମକମଳ ଫୁଲ ରଲବ ଗ୍ରାମରେ

ହିଞ୍ଜିଳିକାଟୁ : ପ୍ରଭୁ ବିଷ୍ଣୁଙ୍କ ନାଭିରୁ ଜାତ ବ୍ରହ୍ମ କମଳ ଫୁଲରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ବିରାଜମାନ କରିଥିବା ପୁରାଣ ବର୍ଣ୍ଣିତ । ଦେବପୁଷ୍ପ ପାରିଜାତ ସମତୁଲ୍ୟ ଏହି ଫୁଲ । ସୁଦୂର ହିମାଳୟ ପାର୍ବତ୍ୟମାଳାର ୧୭ ହଜାର ଫୁଟ ଉଚ୍ଚତାରେ ଫୁଟୁଥିବା ଏହି ଅତ୍ୟନ୍ତ ସୁନ୍ଦର ଏବଂ ପବିତ୍ର ବ୍ରହ୍ମ କମଳ ଫୁଲ ଫୁଟିବା ସମୟରେ ସ୍ୱୟଂ ବ୍ରହ୍ମଦେବଙ୍କ ଏକ ତ୍ରିଶୂଳର ଆକୃତି ନେଇଥାଏ । ଯାହା ଘର ଅଗଣାରେ ଫୁଟେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରଭୁ ବହ୍ମାଙ୍କ ଆଶୀର୍ବାଦରେ ସେ ପରିବାରରେ ସୁଖ ସଂବୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି । ଏମିତି ଏକ ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଲବ ଗ୍ରାମର ଟୁକୁଲା ଖୁଣ୍ଟିଆ । ନିଜ ସମ୍ପର୍କୀୟଙ୍କ ଦ୍ୱାରା ପ୍ରଦତ୍ତ ଏହି ଦୁର୍ଲଭ୍ୟ ଫୁଲଗଛ ସେ ଦୁଇ ବର୍ଷ ପୂର୍ବେ ନିଜ ଘର ବାଡ଼ିରେ ଲଗାଇଥିଲେ । ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ସହ ସନ୍ଧ୍ୟା ସମୟରେ ଦ୍ବୀପ ପ୍ରଜ୍ବଳନ କରି ବ୍ରହ୍ମକମଳ ଫୁଲ ଗଛରୁ ଫୁଲ ଫୁଟିଲେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବେ ବୋଲି ମାନସିକ ମଧ୍ୟ କରିଥିଲେ । ଗତକାଲି ରାତିରେ ଗୋଟିଏ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଉକ୍ତ ଫୁଲକୁ ସାହିର ଅନେକ ମହିଳା ଓ ପୁରୁଷଙ୍କ ଦର୍ଶନ ପାଇଁ ଭିଡ ଜମିଥିବା ବେଳେ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଟୁକୁଲାଙ୍କ ଗଛର ପ୍ରଥମ ଫୁଲ ଶ୍ରୀକୁଞ୍ଜବିହାରିଙ୍କ ପାଖରେ ଅର୍ପଣ କରିଛନ୍ତି ।

ଏହି ଫୁଲକୁ ସାଧାରଣତଃ ବର୍ଷର ଜୁଲାଇ ମାସଠାରୁ ଆରମ୍ଭ କରି ଅକ୍ଟୋବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ବିରଳ ବ୍ରହ୍ମ କମଳ ଫୁଲର ଔଷଧୀୟ ନାମ ସସୋରିୟା ଓବୋବେଲାଟା ଅଟେ ଏବଂ ଏହି ଦିବ୍ୟ ପୁଷ୍ପକୁ ହିମାଚଳ ପ୍ରଦେଶରେ ଦୁଗ୍ଧପୁଷ୍ପ, ଉତ୍ତରାଖଣ୍ଡରେ ରାଜ୍ୟପୁଷ୍ପ କୁହାଯାଇଥିବା ବେଳେ କାଶ୍ମୀରରେ ଗଲ ଗଲ ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବର୍ଗନ ଡଟୋଗେସ ନାମରେ ପରିଚିତ । ଏହା ଏକ ଔଷଧୀୟ ଫୁଲ ଅଟେ ଏବଂ ଶ୍ଵାସ ଓ କ୍ୟାନସର ପରି ଅନେକ ଦୁଃରାସାଧ୍ୟ ରୋଗରେ ଏହାକୁ ଉପଯୋଗ କରାଯାଏ ।