ରାଉରକେଲା ମହାନଗରରେ ସରକାରଙ୍କ ବିନା ଅନୁମୋଦନରେ ନିଯୁକ୍ତି ହୋଇଥିବା ଅଭିଯୋଗ

ରାଉରକେଲା : ରାଉରକେଲା ମହାନଗରରେ ଦିର୍ଘ ୪ ବର୍ଷ ତଳୁ ପ୍ରୋଜେକ୍ଟ ମନିଟରିଂ ୟୁନିଟ ନାମରେ କିଛି ଲୋକଙ୍କୁ ୭୦ ରୁ ୮୦ ହଜାର ଟଙ୍କା ଲେଖାଏଁ ଦରମା ଦେଇ କିଛି ତୋଷାମୋଦକାରୀଙ୍କୁ ବିନା କାରଣରେ କୌଣସି ଯୋଗ୍ୟତା ନଥାଇ ସରକାରଙ୍କ ବିନା ଅନୁମୋଦନରେ ୭ରୁ ଆଠ ଜଣଙ୍କୁ ପୋଷା ଚାଲିଥିବା ବେଳେ ଏବେ ୨ ମାସ ତଳୁ ପୁଣି ୩ ଜଣଙ୍କୁ ସୋସିଆଲ ମିଡିଆ ୟୁନିଟ ନାମରେ ପୋଷା ଆରମ୍ଭ ହୋଇଥିବା ଖବର ମିଳିଛି । ଏହି କଥା ଏବେ ମହାନଗରରେ କାମକରୁଥିବା କର୍ମଚାରୀ ମାନଙ୍କ ମଧ୍ୟ ତିବ୍ର ଅସନ୍ତୋଷର କାରଣ ହୋଇଥିବା ଖବର ମିଳିଛି ।

ଖବରରୁ ପ୍ରକାଶ ଯେ, ପୂର୍ବତନ କମିଶନର ରଶ୍ମିତା ପଣ୍ଡାଙ୍କ ସମୟରେ ଭୁବନେଶ୍ୱରର ଏକ ସଂସ୍ଥାର ୭ରୁ ୮ଜଣ ଯୁବକଙ୍କୁ ଏଠାରେ ପ୍ରୋଜେକ୍ଟ ମନିଟରିଂ ୟୁନିଟରେ ରଖାଯାଇଥିଲା । ଏମାନେ ପ୍ରୋଜେକ୍ଟ ବିଷୟରେ ଜାଣିବା ଲାଗି ସେଭଳି କୌଣସି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ହାସଲ କରିନଥିଲେ । ସେପଟେ ମହାନଗରରେ ଅନେକ ଇଂଜିନିୟର ଓ ଅଭିଜ୍ଞତା ସମ୍ପନ୍ନ ଲୋକ ମଧ୍ୟ ରହିଛନ୍ତି । କିନ୍ତୁ ଏହି ୟୁନିଟ ଏଠାରେ ଦିର୍ଘ ଦିନ ଧରି ଚାଲିଲା । ବିଭିନ୍ନ କାମ ଯାଗାକୁ ଏମାନେ ଜିବା ପରିବର୍ତେ ଅଫିସରେ ଏସି ଭିତରେ ବସି ବିଭିନ୍ନ ଲୋକଙ୍କୁ ନାଲି ଆଖି ଦେଖାଇବା ଓ ଅଫିସରଙ୍କୁ ଚୁଗୁଲି କରି ଅଫିସରେ ଭିନ୍ନ ବାତାବରଣ ସୃଷ୍ଟି କରି ନିଜର ଫାଇଦା ନେବାରେ ଲାଗିଲେ ବୋଲି ଅନେକ ଅଭିଯୋଗ ମାନ ଆସିଲା । ମହାନଗରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା କର୍ମଚାରୀ ଅଫିସର ଏତେ ଦରମା ପାଉନଥିବା ବେଳେ ଏମାନଙ୍କ ଦରମା ଓ କାର୍ଯ୍ୟକଳାପ ମହାନଗର ଭିତରେ ଅସନ୍ତୋଷ ବାତାବରଣ ଆରମ୍ଭ କଲା । ଧିରେ ଧିରେ ଏହି ୟୁନିଟରୁ କିଛି କର୍ମଚାରୀ ଛାଡିଥିବା ବେଳେ, ନିଜକୁ ପୁରାତନ ସାମ୍ବାଦକି ବୋଲି ପରିଚୟ ଦେବା ସହ ସବୁ ମିଡିଆର ମୁଖ୍ୟ ମାନଙ୍କର ବନ୍ଧୁ ବୋଲି ପରିଚୟ ଦେଉଥିବା ଜଣେ ଅସାମାଜିକ ଯୁବକ ଓ ତାର କେତେକ ସମର୍ଥକ ବର୍ତମାନ ସୁଦ୍ଧା ଚାକିରୀରେ ରହିବା ସହ ବିଭିନ୍ନ ମିଡିଆକୁ ମହାନଗରର ବିରୋଧୀ କରାଇ ବେଶ ଫାଇଦା ନେଉଥିବାର ଖବର ମିଳିଛି । ଏହି ବ୍ୟକ୍ତି ମାନଙ୍କୁ ଜଣେ ଡେପୁଟୀ କମିଶନର ସହଯୋଗ କରୁଥିବାର ଖବର ମିଳିଛି ।

ଠିକ ସେହି ଭଳି ଗୋଟାଏ ୟୁନିଟ ନାମରେ ଅଯଥା ଖର୍ଚ୍ଚ ଚାଲିଥିବା ବେଳେ ସୋସିଆଲ ମିଡିଆ ନାମରେ ପୁଣି ୩ ଜଣଙ୍କୁ ୨ମାସ ହେଲା ପୋଷା ଆରମ୍ଭ ହୋଇଥିବା ଜଣାପଡିଛି । ଏମାନଙ୍କୁ କିଏ ରଖିଲା,ଏନେଇ ସରକାର ଅନୁମୋଦନ କରିଛନ୍ତିକି, ଯଦି କରିଛନ୍ତି ତେବେ ସେମାନେ କେଉଁ କାମ ଭିତିରେ ରହିବେ ଓ କେତେ ଦରମାରେ ରହିବେ ସେ ନେଇ କୌଣସି ସୂଚନା ନାହିଁ । ଏମାନଙ୍କୁ ଏକ ସ୍ୱତନ୍ତ୍ର ଏସି ରୁମ ଦେଇ ବସାଇ ରଖାଯାଇଛି । ଏମାନେ କେବଳ ମହାନଗରର ବିଭିନ୍ନ କାମ ହେଉ ବା ନହେଉ କୌଣସି ମତେ ଠେଲି ପେଲି କମିଶନରଙ୍କ ବାଇଟ ନେଇ ସୋସିଆଲ ମିଡିଆରେ ଛାଡୁଥିବା ଦେଖାଯାଇଛି । କେତେବେଳେ କମିଶନର ଆଉ କେତେବେଳେ ଜିଲ୍ଲାପାଳଙ୍କର ବାଇଟ ନେଇ ଏମାନେ କେବଳ ତୋଷାମଦିଆ କାମରେ ରହୁଥିବା ଆଲୋଚନା ଚାଲିଛି । ସବୁଠୁ ବଡ କଥା ହେଲା ମହାନଗର ନିଗମର ଯାହା ବି ସଫଳତା ରହୁଛି ତାହାର ସବିଶେଷ ବିବରଣୀ ଲୋକସଂପର୍କ ବିଭାଗ ନେଇ ସ୍ଥାନୀୟ ଗଣମାଧ୍ୟମକୁ ଦେଲେ ତାହା ପ୍ରଚାର ହୋଇପାରିବ । ଏଠାରେ ମଧ୍ୟ ଜଣେ ଯୁବ ଲୋକସଂପର୍କ ଅଧିକାରୀ ଯୋଗ ଦେଇଛନ୍ତି । ଓଡିଶାର କୌଣସି ମହାନଗରରେ ଯାହା ନାହିଁ ତାହା ରାଉରକେଲା ମହାନଗରରେ କରାଯାଇ ଲୋକଙ୍କ ଟିକସ ଦିଆ ଅର୍ଥକୁ ଏଭଳି ଲୁଟ୍ କରାଜିବା ପଛରେ କାହାର ମହତ ଉଦ୍ଦେଶ୍ୟ ରହୁଛି ତାକୁ ସରକାର ତଦନ୍ତ କରିବାର ଆବଶ୍ୟକତା ରହିଛି ।