ରାଉରକେଲା : ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ୫ ଦିନ ତଳେ ମାଇକ୍ରୋକଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ରାଉରକେଲାର ଭବିଷ୍ୟନିଧି କଲୋନୀକୁ ଆଜି କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି ରାଉରକେଲା ମହାନଗର ନିଗମ କମିଶନର । ଏହା ସହିତ ସହରର ଷ୍ଟିଲ୍ ଟାଉନସିପ୍ ର କିଛି ଅଂଚଳକୁ ଏହା ପୂର୍ବରୁ ମାଇକ୍ରୋକଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।
ତେବେ ସହରକୁ ପଡ଼ୋଶୀ ରାଜ୍ୟରୁ ଥିବା ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇ ସେଠାକୁ ଆସୁଥିବା ବିଭିନ୍ନ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯାଉଥିବା ବେଳେ ଅନେକ ଗଳାବାଟ ଦେଇ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଂଚଳରୁ ସହର ସମେତ ଜିଲ୍ଲାକୁ ପ୍ରବେଶ କରି ଚାଲିଛନ୍ତି । ରାଉରକେଲା ରେଳ ଷ୍ଟେସନର ୧ ନଂ ପ୍ଲାଟଫର୍ମରେ ପୋଲିସ ସମେତ ଡ଼ାକ୍ତରୀ ଟିମ୍ ଜଗି ରହିଥିବା ବେଳେ ଆସୁଥିବା ପାସେଞ୍ଜର ମାନେ ୫ ନଂ ପ୍ଲାଟଫର୍ମ ଦେଇ ଆରାମରେ ସହର ଭିତରକୁ ପ୍ରବେଶ କରୁଛନ୍ତି ।
ସେମାନଙ୍କର କୌଣସି କରୋନା ପରୀକ୍ଷା କିମ୍ବା ସ୍କ୍ରିନିଂ କରାଯାଉନାହିଁ । ସହରକୁ ରାଜ୍ୟ ଭିତରେ ବସ୍ ଚଳାଚଳ ଜାରୀ ରହିଥିବା ବେଳେ ଏମାନଙ୍କର ମଧ୍ୟ ପରୀକ୍ଷା ନିରୀକ୍ଷା ହେବାର ଆବଶ୍ୟକତା ରହିଛି, କିନ୍ତୁ ଏନେଇ କୌଣସି ପ୍ରକାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନାହିଁ । ଏଭଳି ସ୍ଥିତିରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ମଧ୍ୟରେ ଅନେକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଇସ୍ପାତ ସହରାଚଂଳ ସମେତ ଆଖପାଖ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଛି । କେଉଁ ଘରର ଲୋକ କିଭଳି ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ହେଉଛନ୍ତି ସେ ସମ୍ପର୍କରେ ଗତବର୍ଷ ଘର ସମ୍ମୁଖରେ ସୂଚନା ଲେଖାଯାଉଥିଲା ।
କିନ୍ତୁ କରୋନା ଦ୍ୱିତୀୟ ଲହରରେ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛି ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ କେବଳ ପୋଲିସ ପ୍ରଶାସନ ଲୋକଙ୍କୁ ଜୋଜବରଦସ୍ତ ମାସ୍କ ପିନ୍ଧିବାକୁ ବାଧ୍ୟ କରିବା ସହ ଜୋରିମାନା ଆଦାୟ କରୁଥିବା ବେଳେ ସାଧାରଣର ପ୍ରଶାସନର ଅଧିକାରୀ ମାନେ କେବଳ ଏସି ରୁମ୍ ରେ ବସି କୋଭିଡ଼୍ ପରିଚାଳନା କରୁଥିବା ଅଭିଯୋଗ ହେଉଛି । କୌଣସି ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଆସି କାର୍ଯ୍ୟରତ କର୍ମଚାରୀମାନଙ୍କୁ ଉତ୍ସାହିତ କରୁନଥିବାରୁ କରୋନାର ସଠିକ୍ ପରିଚାଳନା କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି ।