ସାଇନା ନେହୱାଲ୍ କରୋନା ପଜିଟିଭ୍ : ଖେଳିବେନି ଥାଇଲ୍ୟାଣ୍ଡ ଓପନ୍

ବ୍ୟାଙ୍କକ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ କୋଭିଡ୍ ପଜିଟିଭ୍ । କରୋନା ମହାମାରୀ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ବହୁ ଦିନ ଧରି ପ୍ରଭାବିତ ହୋଇଛି। ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ଏହି ଟୁର୍ନାମେଣ୍ଟ ଜାନୁଆରୀ ୧୨ ରୁ ୧୭ ତାରିଖ ଯାଏଁ ହେବାର ଥିଲା। କିନ୍ତୁ ଏବେ ସାଇନା ନେହୱାଲ ଖେଳିଲା ଭଳି ଜଣାପଡ଼ୁନାହିଁ । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସାଇନା ଥାଇଲାଣ୍ଡ ଗସ୍ତରେ ଥିବାବେଳେ ସେଠାରେ କୋଭିଡ ପଜିଟିଭ ହୋଇଛନ୍ତି । ସାଇନାଙ୍କୁ ଡାକ୍ତରଖାନାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ୧୦ଦିନ ପାଇଁ ସାଇନାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଫଳରେ ଥାଇଲାଣ୍ଡରେ ବ୍ୟାଡମିଣ୍ଟନରେ ଭାଗ ନେବାକୁ ଯାଇଥିବା ସାଇନା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ସାଇନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ବାମୀ ପାରୁପାଲୀ କଶ୍ୟପ ମଧ୍ୟ କାନାଡାର ଜେସନ ଆନ୍ଥୋନୀ ହୋ-ଶୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ସାଇନାଙ୍କ ନିକଟତର ଥିବାରୁ କଶ୍ୟପଙ୍କୁ ଆଉ ଏକ ରାଉଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଛି ।

ଏହାପୂର୍ବରୁ ବ୍ୟାଙ୍କକରେ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଲଗାଯାଇଥିବା କରୋନା କଟକଣାକୁ ନେଇ ଆପତ୍ତି ଉଠାଇଥିଲେ ସାଇନା । ଯାହାକୁ ନେଇ ଟ୍ୱିଟ୍ କରିଥିଲେ ସାଇନା । ତାଙ୍କ ଟ୍ରେନର ଓ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ଦେବାରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘକୁ କଟାକ୍ଷ କରିଥିଲେ ସାଇନା । ସପୋର୍ଟ ଷ୍ଟାଫଙ୍କୁ ଅନୁମତି ମିଳିବନି ବୋଲି ଏ ବାବଦରେ ପୂର୍ବରୁ ଅବଗତ କରିବାର ଆବଶ୍ୟକତା ଥିଲା ବୋଲି କହିଥିଲେ ସାଇନା । କରୋନାକୁ ଦୃଷ୍ଟିରେ ରଖି ଚୀନ୍ ଏହି ବ୍ୟାଡମିଣ୍ଟନରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଶ୍ୱର ନମ୍ବର ୱାନ୍ ଖେଳାଳି କିନ୍ତୋ ମୋମୋତାଙ୍କୁ କରୋନା ହେବା ପରେ ଜାପାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି ।