ଘରେ ପଶିଗଲା ସ୍କର୍ପିଓ : ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର

ନୂଆପଡ଼ା: ରାସ୍ତାରେ ଯାଉଥିବା ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଘରେ ପଶି ଯିବା ଫଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ଅପରାହ୍ନ ପ୍ରାୟେ ସାଢ଼େ ୪ଟା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ରାସ୍ତାରେ ଯାଉଥିବା ଏହି ସ୍କର୍ପିଓଟି ହଠାତ୍ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ଼ରାମୁଣ୍ଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଘର ମଧ୍ୟକୁ ପଶି ଯାଇଥିଲା । ଫଳରେ ଏହି ଘରେ ରହୁଥିବା ମହିଳା ନମିତା ହଂସ (୩୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ନରେଶ ହଂସ (୪୦)ଓ ପୁଅ ଦୈତାରୀ ହଂସ (୮) ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାରେ ଉତ୍ୟେକ୍ତ ସ୍ଥାନୀୟ ଲୋକେ ଗାଡି ଚାଳକଙ୍କୁ ମାଡ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଏହାର ପ୍ରତିବାଦରରେ ଖଡ଼ିଆଳ-ବୋଡ଼େନ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କ କବଳରୁ ଗାଡି ଚାଳକଙ୍କୁ ଉଦ୍ଧାର କରିଛି । ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଛି ଏବଂ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରୀ ରଖିଛି ।