ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ବିଗୁଡ଼ୁଚି ସେବା : ୧୯ ଜାଗାରେ ୬ଜଣ ଡାକ୍ତରକୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ

-୧୫ ଦିନ ମଧ୍ୟରେ ପଦବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ-ଜିଲ୍ଲା ଯୁବକଂଗ୍ରେସ

ଧର୍ମଗଡ: ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ପଦବୀ ସମେତ ସମସ୍ତ ଖାଲି ଥିବା ପଦବୀ ପୂରଣ କରିବାକୁ ଯୁବକଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଦଳ ତରଫରୁ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ସୁଚନାଯୋଗ୍ୟ ଯେ ଧର୍ମଗଡ ଉପଖଣ୍ଡ ଅଂଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା ବିଗିଡିବାରେ ଲାଗିଛି । ଉପଖଣ୍ଡର ୬ଟି ବ୍ଲକ ସମେତ ପଡୋଶୀ  ନବରଙ୍ଗପୁର,ନୂଆପଡା ଜିଲ୍ଲା ଓ ଛତିଶଗଡ ଅଂଚଳର ପ୍ରାୟ ୧୦ଲକ୍ଷ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଗରିବ ଲୋକଙ୍କ ପାଇଁ ଥିବା ଉପଖଣ୍ଡ ଚିକିତ୍ସାଳୟ ହେଉଛି ଏକମାତ୍ର ଡାକ୍ତରଖାନା କିନ୍ତୁ ଏଠାରେ ୧୯ଜଣ ଡାକ୍ତର ବଦଳରେ ମାତ୍ର ୬ ଜଣ ଡାକ୍ତର ଅଛନ୍ତି ।

ଏପଟେ ରୋଗୀ ସଂଖ୍ୟା କିନ୍ତୁ କମିବାରେ ନାଁ ନେଉ ନାହିଁ । ରୋଗୀମାନେ ଡାକ୍ତରଖାନାରେ ଶଯ୍ୟା ନ ପାଇ ବାରଣ୍ଡାରେ,ଚଟାଣରେ ଗଡୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ଯୋଗୁ ଏକଦା ରେଫର ହସପିଟାଲର ମାନ୍ୟତା ପାଇଥିବା ଡାକ୍ତର ଖାନା ଏବେ ରେଫର ହସପିଟାଲ ପାଲଟିଛି । ସାମାନ୍ୟ ରୋଗୀ ମଧ୍ୟ ଏଠାରୁ ଜିଲ୍ଲା ଚିକିତ୍ସାଳୟକୁ ରେଫର ହେଉଛନ୍ତି । ଡାକ୍ତର ଅଭାବ ଜନିତ ସମସ୍ୟା କୁ ନେଇ ଆଜି ଆଗକୁ ଆସିଛି ଜିଲ୍ଲା ଯୁବ କଂଗ୍ରେସ । ଆବଶ୍ୟକ ହେଲେ ଯୁବକଂଗ୍ରେସ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ।

ଏନେଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ଦେଇଛନ୍ତି । ୫୨ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ କନସଲଟାଣ୍ଟଣ୍ଟ(ପେଡିଆଟ୍ରିକ-ଜେଡି) ଗୋଟିଏ ପଦବୀ ଅନୁମୋଦିତ ଥିବାବେଳେ ତାହା ଖାଲି ରହିଛି । ୨ଟି ସିନିୟର ମେଡିକାଲ ଅଫିସର ପଦବୀ ଅନୁମୋଦିତ ଥିବାବେଳେ ତାହା ମଧ୍ୟ ଖାଲି ରହଛି । ଭେଷଜ ବିଶେଷଜ୍ଞ,ନିଶ୍ଚେତକ ବିଶେଷଜ୍ଞ, ଆଖିରୋଗ ବିଶେଷଜ୍ଞ,ପାଥୋଲୋଜିଷ୍ଟ,ଅର୍ଥୋପେଡିକ,ପେଡିଆଟ୍ରିକ,ଦନ୍ତ ରୋଗ ବିଶେଷଜ୍ଞ ଆଦି ବିଶେଷଜ୍ଞ ପଦବୀ ସବୁ ଖାଲି ରହିଛି ଡାକ୍ତରଖାନାରେ ଏଲଟିଏଳଆରଓ (ଲିଭ ଟ୍ରାଭେଲ ମେଡିକାଲ ରିଜର୍ଭ ଅଫିସର) ଅର୍ଥ କେହି ଛୁଟିରେ ଗଲେ ଏହି ପଦବୀର ଡାକ୍ତର ଡ୍ୟୁଟି କରିଥାନ୍ତି । ଏମାନଙ୍କ ଅନୁମୋଦିତ ପଦବୀ ସଂଖ୍ୟା ୫ ଥିବାବେଳେ ୪ଟି ପଦବୀ ଖାଲି ରହିଛି ।

ଡାକ୍ତରଖାନାରେ କିନ୍ତୁ ଦୈନିକ ୪୦୦/୫୦୦ଶହ ରୋଗୀ ବର୍ହିବିଭାଗରେ ରେଜିଷ୍ଟ୍ରେସନ ହେଉଥିବାବେଳେ ଅର୍ନ୍ତବିଭାଗରେ ପ୍ରାୟ ୩୦ରୁ ୩୫ ଜଣ ରୋଗୀ ଏଡମିଟ ହୋଇଥାନ୍ତି । ବିଶେଷକରି ବର୍ଷା ଦିନମାନଙ୍କରେ ରୋଗୀଙ୍କ ସଂଖ୍ୟା ଆଶାତିତ ଭାବେ ବଢ଼ିବା ଦେଖିବାକୁ ମିଳିଥାଏ । ଏହି ଦିନମାନଙ୍କରେ ଡାଇରିଆ,ଜ୍ୱର ଯୋଗୁଁ ରୋଗୀ ସଂଖ୍ୟା ବଢ଼ିଥାଏ । ଏହି ସମୟରେ ବେଡ ଅଭାବରୁ ରୋଗୀମାନେ ବାରଣ୍ଡାରେ ତଳେ ଶୋଇବାକୁ ବାଧ୍ୟ ହୋଇଥାନ୍ତି ।

ଏହି ଡାକ୍ତରଖାନାରେ ଅସ୍ଥି ବିଶେଷଜ୍ଞ,ଶଲ୍ୟ ବିଶେଷଜ୍ଞ,ଭେଜଷ ବିଶେଷଜ୍ଞ,ନିସ୍ତେଜକ ଓ ଶିଶୁ ରୋଗ ବିଶେଷଜ୍ଞ ପଦବୀର ଏକାନ୍ତ ଆବଶ୍ୟକତା ରହିଛି । ଅଗାମି ୧୫ ଦିନ ମଧ୍ୟରେ ଏହି ସବୁ ପଦବୀ ପୂରଣ ନହେଲେ ଆସାନ୍ତା ମାର୍ଚ ୮ ତାରିଖରୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି ।