ଭୁବନେଶ୍ୱର: କୋଲକାତାରୁ ଗିରଫ ରୋଜଭ୍ୟାଲି ଗ୍ରୁପର ମୁଖ୍ୟ ଶୁଭ୍ରା କୁଣ୍ଡୁଙ୍କୁ ଭୁବନେଶ୍ୱରକୁ ଆଣିବା ପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ପକ୍ଷରୁ ୭ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୫ ଦିନ ପାଇଁ ମଞ୍ଜୁରି ଦେଇଛନ୍ତି । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରାଯାଇଛି । ଏବେ ଭୁବନେଶ୍ୱର ଅଫିସରେ ଶୁଭ୍ରାଙ୍କୁ ସିବିଆଇ ଜେରା କରିବ । ଦୀର୍ଘଦିନ ଧରି ସିବିଆଇରେ ରୋଜ୍ ଭ୍ୟାଲି ମାମଲା ଶିଥିଳ ଭାବେ ପଡ଼ି ରହିଥିଲା । ପୁଣି ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ ହୋଇ ଉଠିଥିବା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ରଜମାକାରୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଅନ୍ୟପଟେ ଭୟଭୀତ ହୋଇ ପଡ଼ଛନ୍ତି ସ୍କାମରେ ସମ୍ପୃକ୍ତ ପ୍ରଭାବଶାଳୀ ନେତା, ମନ୍ତ୍ରୀ । ଅଚାନକ ସିବିଆଇ କାହାକୁ ମାଡ଼ି ବସିବ ତାକୁ ନେଇ ଏବେ ଠକଙ୍କ ଭିତରେ ଭାଳେଣି ପଡ଼ିଲାଣି । ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ଶୁଭ୍ରା ଗିରଫ ହେବା ପରେ ଇଡି ଜେରା କରିପାରେ । ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କ ଗିରଫ କରିଥିଲା । ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି । ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟ୍ଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା । ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା । ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ଓଡ଼ିଶାରେ ପୌର ନିର୍ବାଚନ ରହିଛି । ତା’ ପୂର୍ବରୁ ସିବିଆଇ ସକ୍ରିୟ ହେବା ବିଜେପିର ରାଜନୀତିକ ଅଭିସନ୍ଧି ବୋଲି ଟିଏମ୍ସି ଅଭିଯୋଗ କରିଛି । ତେବେ ଦେଖିବାର କଥା ଶୁଭ୍ରାଙ୍କୁ ଜେରା ପରେ ଠକେଇରେ ସମ୍ପୃକ୍ତ ଆଉ କାହାର ଟେର୍ ପାଇ ଧରୁଛି ସିବିଆଇ ।