ଶୁଭ୍ରାଙ୍କ ନୂଆ ଠିକଣା ଝାରପଡ଼ା ଜେଲ୍

ଭୁବନେଶ୍ୱର:ଭୁବନେଶ୍ୱର ଝାରପଡ଼ା ଜେଲ୍ କୁ ଗଲେ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ । ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଚିଟଫଣ୍ଡ ଠକେଇ ମାମଲାରେ ଜେଲ୍ ଯିବାକୁ ପଡ଼ିଛି । ଗତ ୫ ଦିନ ଭିତରେ ସିବିଆଇ ଶୁଭ୍ରାଙ୍କଠୁ ରୋଜଭ୍ୟାଲି ଚିଟଫଣ୍ଡ କେଇ ସଂପର୍କିତ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ରୋଜଭ୍ୟାଲି ଗ୍ରୁପ୍ରେ କେଉଁ ସବୁ କମ୍ପାନୀର ସେ ନିର୍ଦ୍ଦେଶକ ଥିଲେ? ଚିଟଫଣ୍ଡ ଟଙ୍କା ବାଟ ବାଟମାରଣାରେ କେମିତି ସଂପୃକ୍ତି ଥିଲେ? ଏମିତି ଅନେକ ପ୍ରଶ୍ନ ଗୋଡ଼ାଇ ତୋଡାଇ ଶୁଭ୍ରାଙ୍କୁ ସିବିଆଇ ପଚାରିଥିବା ଜଣାପଡ଼ିଛି ।

୧୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇର ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ଓ ଇଡି ପାଇଁ ଶୁଭ୍ରା ୱାଣ୍ଟେଡ ଥିଲେ । ଆଗକୁ ଶୁଭ୍ରାଙ୍କ ଲିଙ୍କରେ ସିବିଆଇ କବଜାରେ କିଏ ଆସୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଶାଖା ଖୋଲି ଲୋଭୟନୀୟ ଅଫର ଦେଖାଇ କୋଟି କୋଟି ଟଙ୍କା ହଡପ୍ କରିଥିଲା ।

ଏହି ମାମଲାରେ ପୂର୍ବରୁ ସିବିଆଇ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା । ଏବେ ସେ ଜେଲରେ ଅଛନ୍ତି । ଗୌତମଙ୍କ ପରେ ତାଙ୍କ ପତ୍ନୀ ଶୁଭ୍ରାଙ୍କୁ ଗତ ୧୫ ତାରିଖରେ ସିବିଆଇ ଗିରଫ କରିଥିଲା । ଏପରିକି ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଓଡ଼ିଶାରେ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା ବହୁ ଲୋକଙ୍କୁ ଠକିଥିବାରୁ ସିବିଆଇ ଶୁଭ୍ରାଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା ।