ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କର ଜଣେ ଅତି ଘନିଷ୍ଠ ଏବଂ ପାୱାରଫୁଲ ଅଧିକାରୀ ଇସ୍ତଫା ଦେଇଛନ୍ତି । ୨୦୧୯ରେ ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ। ଏବେ ପି.କେ.ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଏହି ପ୍ରିୟ ସହଯୋଗୀଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ନେଇ ୬୦ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରିଥିଲେ ।
ଏଥିରୁ ଜଣାପଡ଼ୁଛି ପି.କେ.ସିହ୍ନାଙ୍କ ଦବ୍ଦବା କେତେ ? ୧୯୭୭ ବ୍ୟାଚ୍ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀ ଥିବା ସିହ୍ନା ସେପ୍ଟେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ନିଯୁକ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କୁ କିଛିଦିନ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସ୍ଡି ନିଯୁକ୍ତ କରାଯାଇଥିଲା । ସିହ୍ନା ୟୁପି ସରକାରରେ ୧୦ବର୍ଷ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାମ ରିଛନ୍ତି ।
୨୦୧୪ରେ ଏନ୍ଡିଏ ସରକାର ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ବଜାୟ ରଖିଥିଲେ ଏବଂ ଶକ୍ତି ସଚିବ ଭାବେ ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଶକ୍ତି ସଚିବ ଭାବେ ସିହ୍ନାଙ୍କ କାର୍ଯ୍ୟକଳାପ ନେଇ ପ୍ରଧାନମନ୍ତ୍ରୀ ବହୁତ ପ୍ରଭାବିତ ହୋଇଥିଲେ ଏବଂ ୨୦୧୫ରେ ତାଙ୍କୁ କ୍ୟାବିନେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତ କରାଯାଇଥିଲା ।
ଯେ କୌଣସି ଆଇଏଏସ୍ ଅଫିସର ପାଇଁ ଏହା ତାଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ପଦବୀ ଭାବେ ବିବେଚିତ କରାଯାଏ । ୨ବର୍ଷ ପରେ ୨୦୧୭ରେ ଯେତେବେଳେ ତାଙ୍କ କାର୍ଯ୍ୟକାଳ ପୂରା ହେଲା ସେତେବେଳେ ସରକାର ତାଙ୍କ କାର୍ଯ୍ୟକାଳକୁ ୧ବର୍ଷ ପାଇଁ ବୃଦ୍ଧି କରିଥିଲେ । ୧ବର୍ଷ ପରେ ପୁଣି ବର୍ଷକ ପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । କ୍ୟାବିନେଟ୍ ସେକ୍ରେଟାରୀ ପୋଷ୍ଟରେ ସରକାର ଚାହିଁଲେ ଜଣେ ଅଧିକାରୀଙ୍କ କାର୍ଯ୍ୟକାଳକୁ ୨ବର୍ଷ ଯାଏଁ ବୃଦ୍ଧି କରାଯାଇପାରିବ । କ୍ୟାବିନେଟ୍ ସଚିବ ଭାବେ ତାଙ୍କୁ ତୃତୀୟଥର ପାଇଁ ୩ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରାଗଲା । ଏଥିଲାଗି ସରକାରଙ୍କ ୬୦ବର୍ଷ ପୁରୁଣା ଆଇନର ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ।