ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ଥମିବାର ନା ନେଉନି । ସିବିଆଇ ଗିରଫକୁ ନେଇ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ରାଉଜ ଏଭେନ୍ୟୁ କୋର୍ଟରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଟଳିଛି । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ମାମଲାରେ ତର୍କ ଶୁଣିବା ପରେ କୋର୍ଟ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି । ସିସୋଦିଆଙ୍କୁ ଇଡି ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟରେ ଉପସ୍ଥାପନ କରିଥିବା ବେଳେ ୧୦ ଦିନ ରିମାଣ୍ଡ ଦାବି କରିଥିଲା । ଇଡି କୋର୍ଟରେ ତର୍କ ରଖି କହିଛନ୍ତି ଯେ ଦିଲ୍ଲୀ ମଦ ନୀତିରେ ମାତ୍ର କିଛି ଲୋକଙ୍କୁ ଲାଭାନ୍ୱିତ କରାଯାଇଛି ।
ନୀତି ଲାଗି ସରକାର ଜନତାଙ୍କ ପରାମର୍ଶକୁ ମଧ୍ୟ ମାନି ନାହାନ୍ତି । ଲାଭ ପାଇଁ ନିୟମରେ ପରିବର୍ତ୍ତନ କରାଯିବା ସହ ଷଡ଼ଯନ୍ତ୍ର କରାଯାଇଥିଲା । ଏଣୁ ମାମଲାରେ ତାଙ୍କୁ ଅଧିକ ପଚରା ଉଚରାର ଆବଶ୍ୟକତା ଥିବା ଇଡି କୋର୍ଟଙ୍କୁ କହିଛନ୍ତି । ମଦ ନୀତିର ମୂଳ ରିପୋର୍ଟ ଓ ଫାଇନାଲ ଡ୍ରାଫ୍ଟକୁ ଇଡି କୋର୍ଟରେ ଉପସ୍ଥାପନ କରିଛନ୍ତି । ଏହା ସହ ତଦନ୍ତରେ ସିସୋଦିଆ ସହଯୋଗ କରୁନଥିବା ଯାଞ୍ଚଏଜେନ୍ସୀ କୋର୍ଟଙ୍କୁ କହିଛନ୍ତି । ଇଡି କହିଛନ୍ତି ଯେ ଜିଓଏମ ବୈଠକରେ ପ୍ରଫିଟ ମାର୍ଜିନ ୧୨ ପ୍ରତିଶତ କରିବା ପାଇଁ କେବେ ଚର୍ଚ୍ଚା ମଧ୍ୟ କରାଯାଇ ନାହିଁ । ଏଥି ଲାଗି ସାଉଥ ଲବି ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛି ।
ଏଥିରେ ବିଜୟ ନାୟର ସାଉଥ ଲବି ଓ ଦିଲ୍ଲୀ ମଧ୍ୟରେ ମଧ୍ୟସ୍ଥତା କରୁଥିଲେ ବୋଲି ଇଡି କହିଛନ୍ତି । ନାୟର ଓ କେ. କବିତାଙ୍କ ମଧ୍ୟରେ ଏ ବାବଦେ କଥାବାର୍ତ୍ତା ହେଉଥିଲା । ଏହି ତମାମ ଷଡ଼ଯନ୍ତ୍ର ଲାଗି ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ମୋବାଇଲ ଫୋନ ଓ ସିମକାର୍ଡ କ୍ରୟ କରିଥିଲେ ବୋଲି ଇଡି କହିଛନ୍ତି । ଏଣୁ ମାମଲାରେ ଅଧିକ ପଚରା ଉଚରା ପାଇଁ ଇଡି ସିସୋଦିଆଙ୍କ ୧୦ ଦିନ ରିମାଣ୍ଡ ଦାବି କରିଥିଲା । ଯାହା ଦ୍ୱାରା ଷଡ଼ଯନ୍ତ୍ରର ଚେର ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି କୋର୍ଟଙ୍କୁ କହିଥିଲା । ତେବେ ମନିଷ ସିସୋଦିଆଙ୍କ ଓକିଲ ଏ ପର୍ଯ୍ୟନ୍ତ ଗୋଟିଏ ପଇସାର ମଧ୍ୟ ହେରଫେର ପ୍ରମାଣିତ ହୋଇନଥିବା କହିଥିଲେ ।
ନୀତି ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କୁ ଚୟନ କରାଯାଏ ଓ ନୀତି ହେବା ପାଇଁ ଅନେକ ବିଭାଗ ଦେଇ ଯାଇଥାଏ । ନୀତି ସରକାର ଓ ବ୍ୟୁରୋକ୍ରାସି ମିଳିତ ପ୍ରସ୍ତୁତ କରିଥାନ୍ତି । ମଦନୀତିର ଫାଇଲ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ମଧ୍ୟ ପଠା ଯାଇଥିଲା । ମାମଲାରେ ହୋଇଥିବା ସିବିଆଇ ଗିରଫଦାରୀର ଜାମିନ ଶୁଣାଣି ଦିନ ପୂର୍ବରୁ ପୁଣି ଥରେ ସିସୋଦିଆଙ୍କୁ ଗିରଫ କରାଗଲା । ତେବେ ଇଡିଙ୍କ ଏହି ଗିରଫଦାରୀ ତାଙ୍କ ଧାରଣା ଅନୁସାରେ ହୋଇଛି, ପ୍ରମାଣ ଆଧାରରେ ନୁହେଁ । ଏଣୁ ଇଡି ରିମାଣ୍ଡର ବିରୋଧ କରୁଥିବା କହିଥିଲେ । ତେବେ କୋର୍ଟ ସିସୋଦିଆଙ୍କୁ ୭ ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି ।