ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ

Snigdha Malbiya wears Kit Nahipari crown

ଭୁବନେଶ୍ୱର, ୨୮।୧୨ : ଉତ୍ତରପ୍ରଦେଶର ସ୍ନିଗ୍‌ଧା ମାଲବୀୟ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୨୩ ଟାଇଟଲ୍‌ ହାସଲ୍‌ କରିଛନ୍ତି। କିଟ୍‌ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‌ ପକ୍ଷରୁ ଆୟୋଜିତ ‘କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ’ ୨୦୨୩ର ଫାଇନାଲ୍‌ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି। ଏହି ମେଗା ଅଡ଼ିସନ୍‌ ତଥା ଫାଇନାଲ୍‌ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସ୍ନିଗ୍‌ଧା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି। ସେମିଫାଇନାଲ୍‌କୁ ୨୭ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍‌ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଓଡ଼ିଶାର ଚିରଶ୍ରୀ ସାଗରିକା ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ଆସାମର ପରିଣିତା ଦାସ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ। ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଇନାଲ୍‌ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍‌ ରାପୁଞ୍ଜେଲ୍‌ (ସୁନ୍ଦର କେଶ) ପାଇଁ ଶ୍ରୀ ଚତୁର୍ବେଦୀ (ବିହାର), ଲିଟିଲ୍‌ ମିସ୍‌ ଫଟୋଜେନିକ ପାଇଁ ଶ୍ରୀ ଶତପଥୀ (ଓଡ଼ିଶା), ଲିଟିଲ୍‌ ମିସ୍‌ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ପଲକ ରାୟ (ତେଲେଙ୍ଗାନା), ଲିଟିଲ୍‌ ମିସ୍‌ ମୋନାଲିସା ପ୍ରକୃତି ଭୁଜେଲ୍‌ (ସିକିମ), ଲିଟିଲ୍‌ ମିସ୍‌ ଉଇଜ୍‌କିଡ୍‌ (କୁଇଜ୍‌ରେ ସର୍ବାଧିକ ନମ୍ବର) ଅଲିସା ସାହୁ (କର୍ଣ୍ଣାଟକ), ମିସ୍‌ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ବେଦିକା ସୋଲାଙ୍କି (ମଧ୍ୟପ୍ରଦେଶ), ମିସ୍‌ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ପରିଣିତା ଦାସ (ଆସାମ), ମିସ୍‌ ପର୍ସନାଲିଟି ସ୍ନିଗଧା ମାଲବୀୟ (ଉତ୍ତରପ୍ରଦେଶ), ମିସ୍‌ ଫେସନ ଦିବ୍ୟାଂଶୀ ସାଲଭି (ରାଜସ୍ଥାନ) ଏବଂ ମିସ୍‌ ଆକ୍ଟିଭ୍‌ ପାଇଁ ଚିରଶ୍ରୀ ସାଗରିକା (ଓଡ଼ିଶା) ପୁରସ୍କୃତ ହୋଇଥିଲେ। ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ସେଥିରୁ ଟାଇଟଲ୍‌ ବିଜୟିନୀଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ। ଦ୍ୱିତୀୟ ରନର୍ସଅପ୍‌କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି। ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା ମଳୟ ମହାପାତ୍ର, ନହ୍ନିପରୀ କୋର କମିଟି ସଦସ୍ୟା ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ନହ୍ନିପରୀର ସ୍ୱତନ୍ତ୍ର ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ପୁନମ୍‌ ଧୀଲନ୍‌ ଓ ଦୀପଶିଖା। ନବଭାରତ ଟାଇମ୍‌ସର ଫିଚର ଓ ଏଣ୍ଟରଟେନ୍‌ମେଣ୍ଟ ସମ୍ପାଦିକା ରେଖା ଖାନ ମଧ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

#bhubaneswar#DUMANITV#localnews#newslatestnews