ନୂଆଦିଲ୍ଲୀ: ଦିଲ୍ଲୀ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ପାର୍ଲାମେଣ୍ଟରେ ଆଗତ କେନ୍ଦ୍ର ବଜେଟ୍ ୨୦୨୧-୨୨ରେ ଦେଶର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କୋଭିଡ୍-୧୯ ବୈଶ୍ୱିକ ମହାମାରୀର ପଡିଥିବା ଗଭୀର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା । କୋଭିଡ୍-୧୯ ବିରୁଦ୍ଧରେ ଦେଶର ଲଢେଇ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସମୟୋଚିତ, ସଠିକ୍ ଏବଂ ସକ୍ରିୟ ପଦକ୍ଷେପ ସମ୍ପର୍କରେ ମତ ଦେଇ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିବା ସହ ଅର୍ଥମନ୍ତ୍ରୀ ଶ୍ରୀମତି ସୀତାରମଣ ଜୋର୍ ଦେଇ କହିଥିଲେ ଯେ ଆତ୍ମନିର୍ଭର ଭାରତର ସ୍ତମ୍ଭଗୁଡିକ ମଧ୍ୟରୁ ସ୍ୱାସ୍ଥ୍ୟ ଏବଂ ହିତସାଧନ ହେଉଛି ପ୍ରମୁଖ ସ୍ତମ୍ଭ । ଅନ୍ୟ କ୍ଷେତ୍ର ସହ ସୁସ୍ଥ ଭାରତ ନ୍ତ ରାଷ୍ଟ୍ର ପ୍ରଥମ ସଙ୍କଳ୍ପକୁ ଅଧିକ ସୁଦୃଢ କରିବ ।
କୋଭିଡ୍ ମହାମାରୀ କାଳରେ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରକୁ କେନ୍ଦ୍ର ସରକାର ବିଶେଷ ପ୍ରାଥମିକତା ଦେଇଥିଲେ। ଏହି କ୍ଷେତ୍ର କେନ୍ଦ୍ରୀୟ ବଜେଟର ଆଧାର ସ୍ଥିର କରୁଥିବା ସ୍ତମ୍ଭମାନଙ୍କ ମଧ୍ୟରୁ ଅନ୍ୟତମ । ଦେଶର ବିକାଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗତବର୍ଷ ଏହି କ୍ଷେତ୍ର ପାଇଁ ୯୪,୪୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୨୦୨୧-୨୨ ବଜେଟରେ ସେଥିରେ ୨,୨୩,୮୪୬ କୋଟି ଟଙ୍କା ବୃଦ୍ଧି କରାଯାଇଛି । ଏହି କ୍ଷେତ୍ରରେ ଏହି ବୃଦ୍ଧି ହେଉଛି ୧୩୭ ପ୍ରତିଶତ । ଏଥିସହିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ସାମଗ୍ରିକ ଲକ୍ଷ୍ୟ ସ୍ଥିର କରାଯାଇ ପ୍ରତିଷେଧକ, ଉପଚାର ଏବଂ ହିତସାଧନ ଭଳି ଏହାର ୩ଟି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଏହି ବଜେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଉପରେ ପୁଞ୍ଜିନିବେଶ ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଥିବାବେଳେ, ଅନୁଷ୍ଠାନଗୁଡିକ ଆଗକୁ ଯେତେ ଅଧିକ ଖର୍ଚ୍ଚ କରିବେ ସେତିକି ଅଧିକ ଅର୍ଥ ଯୋଗାଇ ଦିଆଯିବ ।