କୋଲନରା : ଜିଲ୍ଲାରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବା ବେଳେ ସ୍ୱତନ୍ତ୍ର କରି କୋଲନରା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡିଛି । ସୂଚନା ଥାଉକି, ଏହି ପଦବୀ ପୂରଣ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଉ ନଥିବା ବେଳେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବାଧା ସୃଷ୍ଟି ହେଉଛି । କୋଲନରା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଠ ମାସ ତଳେ ପଦୋନ୍ନତି ପାଇ ଏଠାରୁ ବଦଳି ହେବାପରେ କଲ୍ୟାଣସିଙ୍ଗପୁର ବ୍ଲକର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଉଛନ୍ତି। ତେବେ ଶ୍ରୀ ବାଙ୍ଗାରି ଦୁଇଟି ବ୍ଲକର କାର୍ଯ୍ୟ କରିବା ସମୟରେ ନାନା ସମସ୍ୟା ଦେଖା ଦେଉଛି । ସେ ସପ୍ତାହରେ ତିନିଦିନ କଲ୍ୟାଣସିଙ୍ଗପୁର ଓ ଅନ୍ୟ ତିନିଦିନ କୋଲନରା ବ୍ଲକରେ କାର୍ଯ୍ୟ ଭାର ତୁଲାଉଛନ୍ତି । ଅନ୍ୟପଟେ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ପଦବୀ ଖାଲି ପଡ଼ିଛି। କୋଲନରା ବ୍ଲକର ୧୭ ଟି ପଞ୍ଚାୟତରେ ବହୁ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ପାଇଁ ମାତ୍ର ଚାରି ଜଣ ଯନ୍ତ୍ରୀ ନିଯୁକ୍ତି ହୋଇଛନ୍ତି। ବ୍ଲକ ଆରମ୍ଭ ହେବା ସମୟରେ ଛଅ ଜଣ ଯନ୍ତ୍ରୀ ରହୁଥିବା ବେଳେ ବର୍ତ୍ତମାନ ମାତ୍ର ଚାରି ଜଣ ଅଛନ୍ତି ।
ବ୍ଲକରେ ସରକାରଙ୍କ ଅନେକ ଜନ ହିତକର ଯୋଜନା ଚାଲୁ ରହିଥିବା ବେଳେ ଯନ୍ତ୍ରୀ ଏବଂ କର୍ମଚାରୀ ଅଭାବରୁ ଏହା ସଠିକ ଭାବେ ପରିଚାଳନା ହୋଇପାରୁ ନାହିଁ । ମୁଖ୍ୟତଃ ମନରେଗା ସହ ପ୍ରାୟ ୧୪ ଗୋଟି ଯୋଜନା ବ୍ଲକର ଯନ୍ତ୍ରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥାଏ। କିନ୍ତୁ ଆବଶ୍ୟକୀୟ ଯନ୍ତ୍ରୀ ନଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ୟା ଦେଖା ଦେଉଛି । ସେହିପରି ଏପିଓ ପଦବୀ ମଧ୍ୟ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଖାଲି ପଡ଼ିଛି। ବ୍ଲକର ଦୁନ୍ଦୁଲି, ସୁରୀ, ଝରଡି, କେଲିଗୁଡ଼ା ଓ କାର୍ତ୍ତିକଗୁଡା ପଞ୍ଚାୟତରେ ଜିଆରଏସ୍ ପଦବୀ ଖାଲି ପଡିଥିବା ବେଳେ ଗାଡିଶେଷଖାଲ, ଦୁନ୍ଦୁଲି, ଥେରୁବାଲି, ଡୁମୁରୀଗୁଡା, ଖେଡାପଡା, ବଡ଼ ଖିଲାପଦର, ରେଖାପଦର, ବାଙ୍କୀଲି ଓ ଭୋଇମଡା ପଞ୍ଚାୟତରେ ଯୋଗାଣ ସହାୟକ ନାହାନ୍ତି । ଏଥିସହ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ତିନି ରୁ ଚାରି ଜଣ ନିୟମିତ ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି । ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡି ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସମସ୍ୟା ଦେଖା ଦେଉଛି । ଏହି ସମସ୍ତ ପଦବୀ ପୂରଣ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି ।