ପ୍ରଶାସନିକ ଅଧିକାରୀମାନଙ୍କ ୟୁରିଆ କଳାବଜାରୀ ରୋକିବା ପାଇଁ ସାର ଦୋକାନରେ ଷ୍ଟକ ତଦନ୍ତ

କୋଟପାଡ଼ : ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀମାନେ ଆଶା ଓ ଆଶଙ୍କାରେ ଥିବାବେଳେ ସାରର ଅଭାବ ଚାଷୀମାନଙ୍କ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ସାରର ଅଭାବ ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କେତେଜଣ ଅସାଧୁ ମୁନାଫାଖର ବ୍ୟବସାୟୀମାନେ ରାସାୟନିକ ସାର ମଧ୍ୟ କଳାବଜାରୀ କରୁଥିବା ଅଭିଯୋଗ ହେଉଛି । ଏହି କଳାବଜାରୀ ଦ୍ୱାରା ସାରର କୁତ୍ରିମ ଅଭାବ ସୃଷ୍ଟି ମଧ୍ୟ ହେଉଛି । ପ୍ରତିବର୍ଷ ଏମିତି ସାରର ଅଭାବ ଦେଖାଯାଉଥିବା ସହ କଳାବଜାରୀ ମଧ୍ୟ ହେଉଥିବା ଅଭିଯୋଗ ହେଉଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବା ଯୋଗୁଁ ଅସାଧୁ ବ୍ୟବସାୟୀମାନଙ୍କୁ କଳାବଜାରୀ କରିବାର ସୁଯୋଗ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।

ଜିଲ୍ଲାରେ ଆବଶ୍ୟକତାଠାରୁ କମ ପରିମାଣର ସାର ଯୋଗାଣ ହେଉଥିବା ଯୋଗୁଁ ସାରର ଅଭାବ ପରିଲକ୍ଷିତ ହେଉଛି । ଇତି ମଧ୍ୟରେ ଜୟପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଟପାଡ଼ ବ୍ଲକ ଓ ଏନଏସି ଅଞ୍ଚଳର କେତୋଟି ସାର ଦୋକାନରେ ୟୁରିଆ ଷ୍ଟକ ଯାଞ୍ଚ ପ୍ରଶାସନିକ ଅଧିକାରୀ ଓ ପୋଲିସର ମିଳିତ ଭାବେ କରାଯାଇଥିଲା । ସ୍ଥାନୀୟ ନୀଳକଣ୍ଠମ ୟୁରିଆ ବ୍ୟବସାୟୀ ଓ ସର୍ଗିଗୁଡାର ମହାଲକ୍ଷ୍ମୀ କୃଷି ଭଣ୍ଡାର ଓ ସାଇ ସନ୍ତୋଷି ଟ୍ରେଡ଼ରର ଷ୍ଟକ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି । ଯାଞ୍ଚ ସମୟରେ ନୀଳକଣ୍ଠମ ୟୁରିଆ ଦୋକାନରେ ୧୪୦୦ ବସ୍ତା ୟୁରିଆ, ମହାଲଷ୍ମୀ କୃଷିଭଣ୍ଡାରରେ ୮୨ ବସ୍ତା ୟୁରିଆ ଏବଂ ସାଇ ସନ୍ତୋସି ଟ୍ରେଡେରରେ ୧୯୫ ବସ୍ତା ୟୁରିଆ ମହଜୁଦ ଥିବା ଖବର ମିଳିଛି । ଅନଲାଇନ ଷ୍ଟକ ସହ ଦୋକାନରେ ମହଜୁଦ ସାର ତାଳମେଳ ଠିକ ଅଛି କି ନାହିଁ ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିବା ଜଣାପଡିଛି । ସରକାରୀ ନିର୍ଦେଶାନାମା ଅନୁସାରେ ଠିକ ଭାବେ ଚାଷୀମାନଙ୍କୁ ସାର ପ୍ରଦାନ ପାଇଁ ଅବଗତ କରାଯିବା ସହ ଏଥିରେ ଖିଲାଫି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିବା ଖବର ମିଳିଛି । ଏହି ଷ୍ଟକ ଯାଞ୍ଚ ସମୟରେ ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ସୀତାକାନ୍ତ ରାଉତ ଓ ମନାଲିସା ମାଝୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।