କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ /ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମ୍ କୋର୍ଟ । ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଶୁକ୍ରବାର ଦିନ ଏନେଇ ପରବର୍ତୀ ଶୁଣାଣି ହେବ । ଜଷ୍ଟିସ୍ ଏ ଏନ୍ ଖାନ୍ୱଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।
ନିକଟରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆର ୩ଟି ଗାଁର ନାଁ ବଦଳାଇ ପଂଚାୟତ ନିର୍ବାଚନ କରିବାନେଇ  ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ଓଡ଼ିଶା ସରକାର ।
ସୂଚନାଯୋଗ୍ୟ, ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ, ଜଷ୍ଟିସ୍ ଏ.ଏସ୍‌.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ ।