ଭୟାବହ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା, ୫ ପରିବାର ସର୍ବସ୍ୱାନ୍ତ

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଲକ ଅଧିନସ୍ଥ କଲେଇ ପଚାଂୟତର ବଳାଜିତପଡ଼ା ସ୍ୱାଇଁ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି ।
ସୂଚନା ଅନୁଯାୟୀ, ପରିବାର ସମସ୍ତ ସଦସ୍ୟ ରାତ୍ରୀ ଭୋଜନ ସାରି ନିଜ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳି ଯାଇଥିଲା ସବୁକିଛି । ଖବର ପାଇ ଭଦ୍ରକରୁ ଦୁଇଟି ଦମକଳ ଗାଡି ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ସ୍ୱାଇଁ ସାହିର ଲକ୍ଷ୍ମୀଧର ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ, ଅନିଲ ସ୍ୱାଇଁ, ବବିଲତା ସ୍ୱାଇଁ, ବବିରାଣୀ ସ୍ୱାଇଁ ପ୍ରମୁଖ ଏହି ୫ଟି ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।