୮ ଲେନ୍ ହେବ ଜୟଦେବ ବିହାର-କିଟ୍ ଛକ ରାସ୍ତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍ ବରାଦ ମଧ୍ୟ ହେବ ବୋଲି ଜଣାପଡ଼ିଛି । ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଆସନ୍ତା ଫେବ୍ରୁଆରୀ ମଧ୍ୟଭାଗରେ ଆଗତ ହେବାକୁ ଥିବା ୨୦୨୧-୨୨ଆର୍ଥିକବର୍ଷ ବଜେଟ୍ ରେ ଜୟଦେବ ବିହାରଠାରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ରାସ୍ତା ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣା ଛକଠାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହେବ । ୨୦୨୧-୨୨ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ମୋଟ ୩୦ଟି ବ୍ରିଜ୍ ,୨ଟି ରେଳ ଓଭର ବ୍ରିଜ୍ ଓ ଏକ ହଜାର କିମି ରାସ୍ତାର ଉନ୍ନତିକରଣ ପାଇଁ ୨୧୭୯.୬୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହେବ ବୋଲି ଜଣାପଡ଼ିଛି । ଏହି ଅର୍ଥରେ ବୃହତ୍ ପ୍ରକଳ୍ପ ଭାବେ ଜୟଦେବ ବିହାରଠୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ଓ ୨ଟି ଫ୍ଲାଏଓଭର ନିର୍ମାଣ ସମେତ ଭୁବନେଶ୍ୱର ରିଙ୍ଗରୋଡ୍ (ଧଉଳିଠୁ ତମାଣ୍ଡୋ), ଭୁବନେଶ୍ୱର ଦୟା-ପଶ୍ଚିମ କେନାଲ ରାସ୍ତା, ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ (ରାଣୀହାଟ ଛକଠୁ ଏନ୍ଏଚ୍-୧୬ ପର୍ଯ୍ୟନ୍ତ), ତାଳଦଣ୍ଡା କେନାଲ ଉପରେ ବ୍ରିଜ୍ ନିର୍ମାଣ, ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସହାୟକ ରାସ୍ତା ଓ ପ୍ରବେଶପଥ, କଟକ ରିଙ୍ଗରୋଡ଼କୁ ୬ଲେନ୍ ବିଶିଷ୍ଟ କରିବା ସହ ବ୍ରହ୍ମପୁର ରିଙ୍ଗ୍ରୋଡ୍, ବଲାଙ୍ଗିର ରିଙ୍ଗ୍ରୋଡ୍, ଭବାନୀପାଟଣା ସହରର ବାହ୍ୟ ରୋଡ୍ ନିର୍ମାଣ କରାଯିବ । ଏହାସହିତ କଟକ-ପାରାଦୀପ ରାସ୍ତା(ବିରିବାଟୀଠୁ ପାରାଦୀପ ପର୍ଯ୍ୟନ୍ତ)କୁ ୪ଲେନ୍ ବିଶିଷ୍ଟ କରିବା ନିମନ୍ତେ ଆସନ୍ତା ବଜେଟରେ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି ।