ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ୟାଙ୍କର : ଡ୍ରାଇଭର ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ୧୦୮ ଆମ୍ବୁଲାନ୍ସ ସହ ଏକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚି ଡ଼୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ି ଭିତରୁ ଉଦ୍ଧାର କରିବା ପରେ ସେହି ରାସ୍ତା ଦେଇ ଆସୁଥିବା କୋଟଗଡ଼ ବନ ବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଗୁରୁତର ଭାବରେ ଆହତ ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ନିଜ ଗାଡ଼ିରେ ଆଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆସ୍ତିକ ମଲ୍ଲିକ ବୋଲି ଜଣାପଡ଼ିଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଆସ୍ତିକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ତୁମୁଡ଼ିବନ୍ଧରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ (ଓଡି-୧୨-ସି-୬୭୧୦) ସହ ବାଲିଗୁଡ଼ାରୁ ଭବାନୀପାଟଣା ଯାଉଥିବା ଏହି ଟ୍ୟାଙ୍କର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ୟାଙ୍କରଟି ଆମ୍ବୁଲାନ୍ସ ଉପରେ ଚଢି ଯାଇଥିଲା । ଫଳରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ଭିତରେ ଚାପିହୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।ତୁମୁଡିବନ୍ଧ ଥାନା ପୋଲିସ ସେଠାରେ ପହଂଚି ଏକ ମାମଲା ୩୧/୨୧ ରୁଜ୍ଜୁ କରିବା ସହିତ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବାବାଶଙ୍କର ଶରାଫଙ୍କ ସୂତ୍ରରୁ ଜଣାପଡିଛି ।