ଗଞ୍ଜାମ: ଟାଟା ମୋଟର୍ସରେ ଚାକିରୀ କରାଇଦେବା ପାଇଁ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ରେ ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି । ଗୋଳନ୍ଥରା ଥାନାରେ ବିଧାୟକଙ୍କ ନାମରେ ପୁଣି ଏକ ଠକେଇ ଲିଙ୍କ୍ ରେ ତୃତୀୟ ମାମଲା ୭/୨୧ ରେ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି), ୬୬ (ସି) ଏବଂ ୬୬ (ଡି) ଓ ୩୪ ଆଇଟି ଆକ୍ଟ ବଳରେ ମାମଲା ରୁଜ୍ଜୁ ହୋଇଛି ।
ଗୋପାଳପୁର ନିର୍ବାଚନମଣ୍ଡଳି ଅନ୍ତର୍ଗତ କେଲୁଆପଲ୍ଲୀ ଗ୍ରାମର ପ୍ରଭାତ କୁମାର ନାୟକଙ୍କ ଭାଇଙ୍କୁ ଚାକିରୀ କରାଇ ଦେବାକୁ ବିଧାୟକ ୩ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ, ନିଯୁକ୍ତି ମିଳିନଥିଲା । ଶେଷରେ ଠକେଇରେ ଶିକାର ହୋଇଥିବା ଜାଣି ବଡ ଭାଇ ପ୍ରଭାତ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ବିଧାୟକଙ୍କ ବିରୋଧରେ ଚାକିରୀ କରାଇଦେବା ନାମରେ ଠକେଇ ନେଇ ସମ୍ପୃକ୍ତ ଥାନାରେ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା ।