ଲୋକଙ୍କ କାମରେ ଆସୁନି ବସୁଧା ଯୋଜନା ପ୍ରକଳ୍ପ

-ପାଣି ଟାଙ୍କି ଅଛି ପାଇପ ସଂଯୋଗ କରାଯାଇଛି ଘରକୁ ଘର ପଏଣ୍ଟ ଦିଆଯାଇଛି ହେଲେ, ପାଣି ଆସୁନି

ମୁନିଗୁଡା : ଉପାନ୍ତ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଖରାଦିନ ପୂର୍ବରୁ ସ୍ୱଚ୍ଛ ଜଳ ମୁନ୍ଦେ ଦେବା ପାଇଁ ବଦ୍ଧ ପରିକତର ହୋଇ ପଡିବା ବେଳେ ବସୁଧା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କେତେବେଳେ ବିଭାଗୀୟ କର୍ମଚାରୀ ଓ ଠିକାଦାର ମାନଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବସୁଧା ଯୋଜନା ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଲୁଛି ।

ଖବର ଅନୁଯାୟୀ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତର ପାଣ୍ଡରାମୁଣ୍ଡା ଗ୍ରାମରେ ୨୦୧୮ -୧୯ ରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବସୁଧା ଯୋଜନା ମାଧ୍ୟମରେ ଘରକୁ ଘର ପିଇବା ପାଣି ଯୋଗାଇ ଦେବାପାଇଁ ଏକ ୪୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଥିଲା । କିନ୍ତୁ ଏହି ବସୁଧା ଯୋଜନାରେ ଏବେ ବି କିଛି ଗ୍ରାମବାସୀ ଅସୁବିଧାରେ । ଏହି ପ୍ରକଳ୍ପ ଦ୍ୱାରା ଗ୍ରାମମାନଙ୍କୁ ପିଇବା ପାଣି ଯୋଗାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଥିବାବେଳେ ସରଧାପୁର ପଞ୍ଚାୟତର ବାଣୀପଙ୍ଗା ଗ୍ରାମ ଏହି ଯୋଜନାରୁ ବାଦ ପଡିଛନ୍ତି । ଗ୍ରାମକୁ ପାଇପ ସଂଯୋଗ କରାଯାଇ କିଛି ସ୍ଥାନରେ ପଏଣ୍ଟ ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଣିପଙ୍ଗା ଗ୍ରାମରେ ୪୦ ପରିବାରରେ ୨୯୦ ଜଣ ଲୋକ ବସବାସ କରନ୍ତି । ଗ୍ରାମରେ ଦୁଇଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରିବା ଦ୍ୱାରା ପିଇବା ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଜଣାଇଛନ୍ତି । ତେଣୁ ଗୋଟିଏ ନଳକୂପ ଉପରେ ଗ୍ରାମର ୪୦ ପରିବାରକୁ ନିର୍ଭର କରିବାକୁ ପଡୁଛି । ଯାହାକି ୨୯୦ ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ।

ସେହିପରି ପାଣ୍ଡରାମୁଣ୍ଡା ଗ୍ରାମରେ ମଧ୍ୟ ଏହି ପ୍ରକଳ୍ପ ଦ୍ବାରା ଠିକ ଭାବେ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ବ୍ଲକ ପ୍ରାଶାସନଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ପାଇପାରୁ ନାହାନ୍ତି । ସେପଟେ ଉକ୍ତ କଣ୍ଟ୍ରାକ୍ଟରଙ୍କୁ ଅଭିଯୋଗ କଲେ କଣ୍ଟ୍ରାକ୍ଟର ଜଣଙ୍କ ନାଲି ଆଖି ଦେଖାଇ ଭୟଭୀତ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ତୁରନ୍ତ ଏହି ଘଟଣାର ତଦନ୍ତ କରି ବାଣୀପଙ୍ଗାରେ ଗୋଳିଆ ପାଣି ବାହାରୁ ଥିବା ନଳକୂପର ମରାମତି କରିବା ସହ ବସୁଧା ଯୋଜନାରେ ହୋଇଥିବା ପ୍ରକଳ୍ପ ଦ୍ବାରା ଗ୍ରାମମାନଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି ।