ନୂଆଦିଲ୍ଲୀ: ଗୁରୁବାର ଦିନ ଅହମ୍ମଦାବାଦରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି । ୨୦୨୨ ମସିହାରେ ଖେଳାଯିବାକୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗରେ ୮ ଟି ସ୍ଥାନରେ ୧୦ ଟି ଦଳ ଭାଗ ନେବେ ବୋଲି ମଞ୍ଜୁରୀ ମିଳିଲା । ଏହି ବୈଠକ ଆରମ୍ଭ ପୂର୍ବରୁ ମଧ୍ୟ ସମସ୍ତଙ୍କ ନଜର ଏହି ନିଷ୍ପତ୍ତି ଉପରେ ଥିଲା। ଶେଷରେ ଏହି କ୍ରିକେଟର ସବୁଠାରୁ ଲୋକପ୍ରିୟ ଟି -୨୦ ଟୁର୍ନାମେଣ୍ଟରେ ଭାଗ ନେବାକୁ ୧୦ ଟିମକୁ ଅନୁମୋଦନ କରାଯାଇଛି ।
ଏହି ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇପିଏଲରେ ଦଳ ସଂଖ୍ୟା ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିସିସିଆଇର କହିଛି ଯେ ୨୦୨୨ ରେ ଖେଳାଯିବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଆଉ ଦୁଇଟି ନୂତନ ଦଳ ଅନ୍ତର୍ଭୁକ୍ତ ହେବ ।
ବୈଠକ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ ୧୦ ଟି ଦଳର ଏହି ଆଇପିଏଲ୍ କେବଳ ଗୋଟିଏ ସଂସ୍କରଣ ପାଇଁ ଅନୁମତି ଦିଆଯିବ | ବର୍ତ୍ତମାନ ଏହି ବିଷୟରେ କିଛି ଜଣା ପଡିନାହିଁ। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ସମର୍ଥନ କରିବ ବୋଲି ବୈଠକରେ ସହମତ ହୋଇଛି।
୨୦୨୮ ମସିହାରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ ଟି -୨୦ ଫର୍ମାଟରେ କ୍ରିକେଟ୍ ଅନ୍ତର୍ଭୂକ୍ତ କରିବାକୁ ବିସିସିଆଇ ସମର୍ଥନ କରିବ । ଆଇସିସି ସହିତ ବିସିସିଆଇ ମଧ୍ୟ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବା ସପକ୍ଷରେ ବାହାରିଛି। ଉଲ୍ଲେଖନୀୟ କଥା ହେଉଛି, ଏହା ପୂର୍ବରୁ ଭାରତ ଆଇସିସିର ଏହି ନିଷ୍ପତ୍ତିକୁ ସମର୍ଥନ କରିନଥିଲା।