ପିଏମ୍ ଆବାସ ଯୋଜନା ନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସୋମବାର ଦିନ ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍ଏନ୍ଆରଇଜିଏମ୍ ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଥିଲେ ।

ପୂର୍ବରୁ ଗତ ୧୪ ତାରିଖରରେ ମଧ୍ୟ ବିଜେଡି ସଂସଦୀୟ ଦଳ ସମାନ ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଫନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘରାଇଥିବା ଲୋକଙ୍କୁ ବାସଗୃହ ଯୋଗାଇବାକୁ ଦାବି ଜଣାଇଥିଲେ । ଏଥିସହ କେବିକେ ଅଂଚଳର ୧୩ ଲକ୍ଷ ଗରିବ ପରିବାରକୁ ଘର ଦେବାକୁ ଦାବି କରିଥିଲେ । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ପୁଣି ଥରେ ଆଲୋଚନା କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପୁଣି ବିଜେଡି ସଂସଦୀୟ ଦଳ ସହ ଆଲୋଚନା କରିଛନ୍ତି ।