କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ ଜୁଲାଇ ୨୦ରେ

-ବାକିଆ ଖାଦ୍ୟ ସବସିଡ୍ ଟଙ୍କା ଦେବା, ବଳକା ଚାଉଳ କିଣିବା ପ୍ରସଙ୍ଗ

ଭୁବନେଶ୍ୱର : ଖାଦ୍ୟ ସବ୍ସିଡ୍ ବାବଦରେ ଦୀର୍ଘ ଦିନ ଧରି ବାକିଆ ଥିବା ୬୫୭୦ କୋଟି ଟଙ୍କା ପ୍ରଦାନ, ବଳକା ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ କେନ୍ଦ୍ର ସରକାର ଉଠାଇବା ଓ ଖରିଫ ଧାନ ସଂଗ୍ରହ ସମୟ ଅବଧି ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରିବା ଆଦି ଦାବି ନେଇ ବିଜେଡି ପକ୍ଷରୁ ଆସନ୍ତା ଜୁଲାଇ ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର ଦପ୍ତର ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଉଭୟ ନେତ୍ରୀ ଆଜି କହିଛନ୍ତି ଯେ ସତ୍ୟ ଜାଣି ବି ଓଡିଶା ବିଜେପି ମିଥ୍ୟା ଓ ଭିତିହୀନ ବିବୃତି ଦେଇ ରାଜ୍ୟବାସୀଙ୍କୁ ଧାନ କିଣା ସଂକ୍ରାନ୍ତରେ ବିଭ୍ରାନ୍ତ କରିବାରେ ଲାଗିଛି । ଖାଦ୍ୟ ସବସିଡ ବାବଦରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅର୍ଥ ପାଇବାକୁ ଥିବାବେଳେ ଭାରତ ସରକାର ବର୍ତମାନ ସୁଦ୍ଧା ତାହା ପ୍ରଦାନ କରୁନାହାନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡିଶା ସରକାର ଚାଷୀଙ୍କ ଠାରୁ ୪,୪୪୬ କୋଟି ଟଙ୍କାର ୭୭.୩୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି । ଭାରତ ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍ସିଡ୍ ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଭାରତୀୟ ଖାଦ୍ୟ ନିଗମ ୨୯୩୫ କୋଟି ଟଙ୍କା ପାଇଛି । ରାଜ୍ୟର ସବ୍ସିଡ ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍ ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦କୋଟି ଟଙ୍କା ବାକିଆ ପଡି ରହିଛି । ସେହିପରି ଓଡିଶା ନିକଟରେ ଥିବା ବଳକା ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ୍ ଚାଉଳରୁ କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇଥିବାବେଳେ ଆଉ ୭ ଲକ୍ଷ ଚାଉଳ ବର୍ତମାନ ସୁଦ୍ଧା ପଡି ରହିଛି । ତୁରନ୍ତ ଏହି ବଳକା ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ କେନ୍ଦ୍ର ସରକାର ଉଠାଇବା ପାଇଁ ବିଜେଡି ଦାବି କରିଛି । ଏହା ବ୍ୟତୀତ ବିଭିନ୍ନ କାରଣ ଯୋଗୁଁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୩୦ ଜୁନ୍ ୨୦୨୧ରୁ ୩୦ ସେପ୍ଟେମ୍ବର ୨୦୨୧କୁ ବଢାଇବା ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଏହାକୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବଢାଇଛନ୍ତି ।ଏହି ସଂଗ୍ରହ ସମୟସୀମାକୁ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯାଉ । ଖରିଫ ଧାନ ସଂଗ୍ରହ ପାଇଁ ଟୋକନ ଅବଧି ୩୦ ଦିନ । ରବି ଧାନ ସଂଗ୍ରହ ପାଇଁ ଏହା ୧୫ ଦିନ । ରବି ଧାନ ସଂଗ୍ରହ ସୀମିତ ସମୟ ଦୁଇ ମାସ ପାଇଁ କରାଯାଏ ଏବଂ ଏହାର କାରଣ ହେଉଛି ଟୋକନ ବୈଧତା ଅବଧି ୧୫ ଦିନ ପାଇଁ ସୀମିତ । ଖରିଫ ଧାନ ସଂଗ୍ରହ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ହେଉଥିବାବେଳେ ରବି ଧାନ ମଇରୁ ଜୁନ୍ ମଧ୍ୟରେ ହୋଇଥାଏ । ଧାନ ସଂଗ୍ରହ ପୂର୍ବରୁ ଭାରତ ସରକାର ଏହି ସମୟକୁ ଅନୁମୋଦନ କରିଥାନ୍ତି ।

ବିଗତ ଦୁଇବର୍ଷ ମଧ୍ୟରେ ୩.୮୩ ଲକ୍ଷ ନୂଆ ଚାଷୀ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଯାହାକି ୩୮ ପ୍ରତିଶତ ଅଭିବୃଦ୍ଧି ଅଟେ । ସେହିଭଳି ଦୁଇ ବର୍ଷରେ ୧୮ ପ୍ରତିଶତ ଅଧିକ ପରିମାଣ ଧାନ ସଂଗ୍ରହ ହୋଇଛି ବୋଲି ବିଜେଡି ନେତ୍ରୀ କହିଛନ୍ତି ।

ବିଜେପି ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାର କିଭଳି ଓଡିଶାର ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ତାହାର ସତ୍ୟାସତ୍ୟ ଲୋକଙ୍କ ଆଗରେ ରଖନ୍ତୁ ।ଓଡିଶା ଚାଷୀଙ୍କ ପ୍ରତି ଏଭଳି ଅବହେଳା ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର ଦପ୍ତର ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ । ଭାରତୀୟ ଖାଦ୍ୟ ନିଗମ ଧାନ କିଣା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ କେନ୍ଦ୍ର ସରକାର ଓଡିଶାର ଦାବିଗୁଡିକୁ ତୁରନ୍ତ ମାନି ନେବାକୁ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀଦ୍ୱୟ ଦାବି କରିଛନ୍ତି ।