ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ହୋଇଥିବା ଲକଡାଉନ କାଳରେ ମଧ୍ୟ ସରକାର ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଅବ୍ୟାହତ ରଖିଥିଲେ । ଲୋକମାନଙ୍କ ଜୀବନରେ ଇନ୍ଧନ ଆବଶ୍ୟକତାର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୧-୨୨ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କାଳରେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ନିମନ୍ତେ କେତେକ ପ୍ରମୁଖ ଘୋଷଣା କରିଛନ୍ତି ।
• ଆଠ କୋଟି ପରିବାରକୁ ସୁବିଧା ଯୋଗାଇ ସାରିଥିବା ଉଜ୍ଜ୍ୱଳା ଯୋଜନା ଆଉ ଏକ କୋଟି ହିତାଧିକାରୀଙ୍କ ନିମନ୍ତେ ସଂପ୍ରସାରିତ ହେବ ।
• ଆଗାମୀ ତିନିବର୍ଷ ମଧ୍ୟରେ ସହର ଗ୍ୟାସ ବଣ୍ଟନ ନେଟୱାର୍କରେ ଦେଶର ଆଉ ଶହେଟି ସହର ଅନ୍ତର୍ଭୁକ୍ତ ହେବ ।
• କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ହାତକୁ ନିଆଯିବ ।
• ସୁବିଧା ଓ ସମନ୍ୱୟ ଦୃଷ୍ଟିରୁ ଏକ ସ୍ୱାଧୀନ ଗ୍ୟାସ ପରିବହନ ସିଷ୍ଟମ ଅପରେଟର ଆରମ୍ଭ କରାଯିବ । ସମସ୍ତ ପ୍ରାକୃତିକ ଗ୍ୟାସ ପାଇପ ଲାଇନରେ କମନ କ୍ୟାରିଅର କାପାସିଟି ବୁକିଂ ଦୃଷ୍ଟିରୁ କୌଣସି ବାଚ୍ଛ ବିଚାର ନକରି ନିରପେକ୍ଷ ଢ଼ଙ୍ଗରେ ଏହା କରାଯିବ ।