ଭୁବନେଶ୍ୱର: ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ମୁର୍ମୁ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଗତ ଶନିବାର ଠାରୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଆସନ୍ତାକାଲି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଶ୍ରୀ ମୁର୍ମୁ ସିଏଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଫିସିଆଲ ଓଡ଼ିଶା ଗସ୍ତ । ଏହି ଗସ୍ତ ବେଳେ ଶ୍ରୀ ମୁର୍ମୁଙ୍କର କେତେକ ଘରୋଇ କାର୍ଯ୍ୟକ୍ରମ ରହିଥିଲା । ଶ୍ରୀ ମୁର୍ମୁ ତାଙ୍କର ଏହି ଗସ୍ତ ମଧ୍ୟରେ ପ୍ରଥମ ଦିନ ୨୬ ତାରିଖ ଅର୍ଥାତ ଶନିବାର ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାଲେଶ୍ୱର ଅଭିମୁଖେ ଗସ୍ତ କରିଥିଲେ । ଏହାପରେ ୨୭ ତାରିଖରେ ବାରିପଦା ଗସ୍ତରେ ଯାଇଥିଲେ । ସେହିପରି ୨୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଏଥିସହିତ ଆଜି ଶ୍ରୀ ମୁର୍ମୁ ରାଜ୍ୟ ମହାଲେଖାକାର କାର୍ଯ୍ୟାଳୟକୁ ପରିଦର୍ଶନରେ କରିଥିଲେ । ଏହାପରେ ରାଜ୍ୟ ମହାଲେଖାକାର କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ସେ ୩୦ ତାରିଖ ସନ୍ଧ୍ୟା ୭ଟାରେ ଶ୍ରୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।