କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଥିଲା । ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ । ଏହାପରେ ସେ ସୁପ୍ରିମ୍କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ସୁପ୍ରିମ୍କୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ । ଭୋପାଳ ଗ୍ୟାସ୍ ଘଟଣାରେ ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନ କରିଥିଲେ । ବହୁ ଜନସ୍ୱାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମ୍କୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ । ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ । ଡିସେମ୍ବର ୨୦୦୨ରୁ ୨୦୦୬ ମେ ପର୍ଯ୍ୟନ୍ତ ସେ ଲ’ କମିସନଙ୍କ ପାର୍ଟଟାଇମ୍ ସଦସ୍ୟ ଥିଲେ । ୨୦୦୬, ମେ ୨୯ରେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ତାଙ୍କର ପଞ୍ଜାବ ଓ ହରିୟାନା ହାଇକୋର୍ଟକୁ ବଦଳି ହୋଇଥିଲା । ୨୦୨୦, ମାର୍ଚ୍ଚ ୬ରେ ସେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ଭାବେ ଉପସ୍ଥିତ ରହିଥିଲେ । ତେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଶପଥ ନେବା ପରେ ତାଙ୍କୁ ମୁଖ୍ୟମବୀ ନବୀନ ପ…ନାୟକ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍ କରି ଜଷ୍ଟିସ୍ ମୁରଲୀଧରଙ୍କୁ ଓଡ଼ିଶାକୁ ସ୍ୱାଗତ କରିବା ସହ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ନବୀନ ।