ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ, ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ ଦେବାଶିଷ ମହାପାତ୍ର । ଗତ କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିଂବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଗତ କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ‘‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’। ସେ ଆହୁରି ମଧ୍ୟ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଜଣେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଶାନ୍ତନୁ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡି ଯାଇଛନ୍ତି । ସଙ୍ଗୀତ ପ୍ରତି ସେ ନିଜ ଜୀବନକୁ ସମର୍ପିତ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ହିଁ ସବୁଦିନ ପାଇଁ ତାଙ୍କୁ ଅମର କରି ରଖିବ ।

ତାଙ୍କ ସଂଗୀତ ନିର୍ଦ୍ଦେଶିତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ଅରୁନ୍ଧତୀ’,‘ସୂର୍ଯ୍ୟମୁଖୀ’,‘ମେଘମୁକ୍ତି’,‘ପ୍ରିୟତମା’ ‘ଅଗ୍ନିପରୀକ୍ଷା’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ଅନ୍ୟତମ । ଶାନ୍ତନୁଙ୍କ ସଂଗୀତ ନିର୍ଦେଶିତ ଶେଷ ଚଳଚ୍ଚିତ୍ର ହେଉଛି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ହିଁ ସାଥୀ ମୋର’। ଅନେକ ପୂର୍ଣ୍ଣାଙ୍ଗ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେବା ସହ ଶ୍ରୀ ମହାପାତ୍ର ଶତାଧିକ ଆଧୁନିକ ଓଡ଼ିଆ ଗୀତର ସ୍ୱର ସଂଯୋଜନା କରିଥିଲେ। ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ କେତେକ ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।

ସଙ୍ଗୀତ ଥିଲା ତାଙ୍କ ସହଜାତ ଗୁଣ। ତେଣୁ, ପାଞ୍ଚ ବର୍ଷ ବୟସରୁ ସେ ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ନଅ ବର୍ଷ ବୟସରେ ସର୍ବସାଧାରଣରେ ଗୀତ ଗାଇଥିଲେ। ଏହାଛଡ଼ା ସେ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଆକାଶବାଣୀ ଏବଂ ଦୂରଦର୍ଶନରେ ଜଣେ ଶୀର୍ଷସ୍ତରୀୟ ସ୍ୱରସଂଯୋଜକ ଭାବେ ଶତାଧିକ ଆଧୁନିକ ଓଡ଼ିଆ ଗୀତ ସୃଷ୍ଟି କରିଥିଲେ । ସଙ୍ଗୀତ ନିମନ୍ତେ ତାଙ୍କୁ ୨୦୦୪ରେ ‘ଲଳିତ କଳା ଏକାଡେମି ପୁରସ୍କାର’ ଏବଂ ୧୯୯୫ରେ ‘ଓଡ଼ିଶା ଫିଲ୍ମ୍‌ କ୍ରିଟିକ୍‌ ଆଓ୍ଵାର୍ଡ’ ସମେତ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା ।