ମୁଖ୍ୟ ଶାସନ ସଚିବଙ୍କର ଏନ.ଟି.ପି.ସି ସହ ବୈଠକ ତାଳଚେରରେ ନୂଆ ତାପଜ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ ଶିଘ୍ର ଆରମ୍ଭ ହେବ ପୁରୁଣା ୟୁନିଟ୍ ଚାଲୁରଖିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ଆଜି ରାଜ୍ୟ ସରକାର ଏବଂ ଏନ.ଟି.ପି.ସିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ତାଳଚେରରେ ଥବବା ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଏବଂ ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ତାଳଚେରରେ ରାଜ୍ୟର ବିଦ୍ୟୁତ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାୱାର ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ନିଷ୍ପତି ହୋଇଥିଲା । ଏହି ନୂଆ ୟୁନିଟ୍‌ର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତର ବିପଣୀ ଓ କାରବାର ସମ୍ବନ୍ଧରେ ଗ୍ରୀଡ଼୍‌କୋ ଏବଂ ଏନ.ଟି.ପି.ସି ମିଳିତ ଭାବେ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା । ଏ ବିଷୟରେ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଏନ.ଟି.ପି.ସି ର ଅଧ୍ୟକ୍ଷ ଗୁରୁଦୀପ ସିଂ କହିଥିଲେ ।
ତାଳଚେରରେ ନୂଆ ୟୁନିଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟ୍‌କୁ ଚଳାଇରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ ।

ଏହି ପ୍ଲାଂଟ ସହ ଅନେକ ଲୋକଙ୍କର ଜୀବିକା ଜଡ଼ିତ ଥିବାରୁ ଏହା ଚଳାଇରଖିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ତାଳଚେର ତାପଜ କେନ୍ଦ୍ର ଏନ.ଟି.ପି.ସିର ଉତ୍କୃଷ୍ଟ କେନ୍ଦ୍ର ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । କିଛି ପୁଂଜି ବିନିଯୋଗ ସହ ଏହି ପ୍ଲାଂଟର ନବୀକରଣ କରି ଏହାକୁ ପୁନଃ ଚଳାଇବା ଉଚିତ୍ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧିତ କିଛି ପଦକ୍ଷେପ ସହ ଏହି ପ୍ଲାଂଟ ଚଳାଯାଇପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସମ୍ପାଦକ ଡ. କେ. ମୁରୁଗେସନ୍ କହିଥିଲେ । ପ୍ଲାଂଟର ନିରାପତା ଅଡିଟ୍ କରି ଏହି ପ୍ଲାଂଟକୁ ପୁନଃ ଚଳାଇବା ନିମନ୍ତେ ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିବା ପାଇଁ ଏନ.ଟି.ପି.ସିର ଅଧ୍ୟକ୍ଷ ଶ୍ରୀ ସିଂ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙକୁ ନିର୍ଦ୍ଦେଶ ଦେଇଥିଲେ । ପୁରୁଣା ୟୁନିଟ୍ ଚଳାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଇତି ମଧ୍ୟରେ ନୂତନ ୟୁନିଟ୍ ପ୍ରତିଷ୍ଠା ନିମନେ୍‌ତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତୃପକ୍ଷ କମିଟି ଅନୁମୋଦନ ଦେଇଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ ଏଥିରେ ପ୍ରାୟ ୭,୭୦୦ କୋଟି ଟଙ୍କାରୁ ଅଧିକ ପୁଂଜି ନିବେଶ ହେବ । ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ଏନ.ଟି.ପି.ସିଙ୍କୁ ଜମି, ଜଳ ଏବଂ ଅନ୍ୟାନ୍ୟ ଭିତିଭୂମି ସୁବିଧା ଯୋଗାଇ ଦିଆଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ । କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ଗୁଡ଼ିକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ଼୍‌ରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଂଜ ବିହାରୀ ଧଳ ତାଳଚେର ତାପଜ କେନ୍ଦ୍ର ସମ୍ବନ୍ଧିତ ବୈଷୟିକ, ପ୍ରଶାସନିକ ଏବଂ ବ୍ୟବସାୟିକ ଆଦି ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଏନ.ଟି.ପି.ସି ର ପ୍ରକଳ୍ପ ନିର୍ଦ୍ଦେଶକ ଉଜ୍ଜ୍ୱଳକାନ୍ତି ଭଟ୍ଟାଚାର୍ଯ୍ୟଙ୍କ ସମେତ ଗ୍ରୀଡ଼୍‌କୋ, ଓ.ପି.ଟି.ସି.ଏଲ ଏବଂ ଏନ.ଟି.ପି.ସି ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।