କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସର ରାଜଭବନ ଘେରାଉ

-ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ପ୍ରତ୍ୟାହାର ଦାବି ନେଇ ଶୁକ୍ରବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ କିମଟି ପକ୍ଷରୁ “କିଷାନ ଅଧିକାର ଦିବସ ସମାବେଶ” ଅନୁଷ୍ଠିତ ହୋଇଯାଇଛି । ଏକ ବିଶାଳ ଶୋଭାଯାତ୍ରା ପାୱାର ହାଉସ୍ ଛକଠାରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲା । ପରେ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜଭବନରେରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ କଂଗ୍ରେସ ନେତୃବୃନ୍ଦ ବଜେଡ଼ି ଓ ବିଜେପିର ଜନବିରୋଧି ଓ କୃଷକ ମାରଣ ନୀତି ବିରୁଦ୍ଧରେ ଆଲୋକପାତ କରିଥିଲେ । ସଭାପରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଘେରାଉ କରାଯାଇଥିଲା । ତିନିଗୋଟି କୃଷି ଆଇନକୁ ପ୍ରତ୍ୟାହାର ଓ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜି. ରୁଦ୍ର ରାଜୁ, ସପ୍ତଗିରି ଉଲାକା, ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତଚରଣ ଦାସ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ୍‌, ସୁରେଶ କୁମାର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ସ୍ମୃତିରଂଜନ ଲେଙ୍କା, ଅଂଶୁମାନ ମହାନ୍ତି, ବନ୍ଦିତା ପରିଡା, ୟାସିର ନୱାଜ, ପଦ୍ମାକର ଗୁରୁ, ଅଜୟ ସାମଲ, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ସେହିପରି କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଂଚିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ ।