କୋଣାର୍କ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋଣାର୍କ ନଗର ଶାଖା ପକ୍ଷରୁ କୋଣାର୍କ ଏନଏସି ସମେତ ନିକଟସ୍ଥ ଗ୍ରାମ ଗୁଡିକରେ ବିଦ୍ୟୁତ ସମସ୍ଯାର ସ୍ଥାୟୀ ସମାଧାନ ନିମନ୍ତେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଏନଏସି ଅନ୍ତର୍ଗତ ବିଭିନ୍ନ ଓ୍ଵ।ର୍ଡକୁ ବିଦ୍ୟୁତ ଯୋଗାଣ, ସୌଭାଗ୍ୟ ଯୋଜନା ରୁ ବଂଚିତ ହୋଇଥିବା ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ ସହିତ ଅନ୍ୟାନ୍ୟ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ କୁ ପ୍ରତି ଓ୍ବ।ର୍ଡରେ ବିଭାଗୀୟ କ୍ଯାମ୍ପ କୋର୍ଟ କରାଯାଇ ବିଦ୍ୟୁତ ବିଲର ସଂଶୋଧନ କରିବା, ପୁରୁଣା ବିଦ୍ୟୁତ ଖୁଣ୍ଟ ଓ ତାରକୁ ଅପସାରଣ କରାଯାଇ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ଆଦି ଦାବି ନେଇ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏ ସଂପର୍କରେ ସିପିଆଇ କୋଣାର୍କ ଶାଖା ପକ୍ଷରୁ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଆଦିଙ୍କୁ ବିଦ୍ୟୁତ ସମସ୍ଯା ର ସ୍ଥାୟୀ ସମାଧାନ ନିମନ୍ତେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଟାଟା ପାୱାର ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ପଟ୍ଟନାୟକ ଧାରଣାକାରୀଙ୍କ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ଦାବି ଗୁଡିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଗଣଧାରଣାରେ ପୁରୀ ଜିଲ୍ଲା ସିପିଆଇ ସଂପାଦକ ପ୍ରଦୀପ୍ତ କୁମାର ମହାନ୍ତି, ପୂର୍ବତନ କାଉନସିଲର ସୁକାନ୍ତ କୁମାର ମହାନ୍ତି, ଗୋଲେଖ ନାୟକ, ମନୋରଞ୍ଜନ ପରିଡା, ପ୍ରସନ୍ନ କୁମାର ଦାସ, ନବଘନ ମୁଦୁଲି, ଅତିଶ ସେଠୀ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।