ଓଡ଼ିଶାରେ ଦେଶର ପ୍ରଥମ ନାଗରିକ : ସ୍ୱାଗତ ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

-ଆଜି ରାଉରକେଲା ନିଟ୍ ସମାବର୍ତ୍ତନରେ ଯୋଗଦେବେ
-୨୨ରେ ପୁରୀ ଓ କୋଣାର୍କ ପରିଦର୍ଶନ
-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋସର୍୍ ମୁତୟନ

ଭୁବନେଶ୍ୱର:ଭାରତର ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟାରେ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଠାରେ ପହଂଚିଛନ୍ତି । ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ସବିତା କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନଘାଟୀଠାରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ । ଏହାବ୍ୟତୀତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସ୍ୱାଗତ ଜଣାଇଥିଲେ ।

ରାଷ୍ଟ୍ରପତି ରାଜଭବନଠାରେ ଆଜି ରାତ୍ରୀଯାପନ କରିବେ । ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ । ସେଠାରେ ଥିବା ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହାପରେ ଆଇଜିଏଚ୍ରେ ସୁର ସ୍ପେସାଲିଟି ହସ୍ପିଟାଲ୍ର ଉଦ୍ଘାଟନ କରିବେ । ୨୨ ତାରିଖ ଦିନ ପୁରୀ ଏବଂ କୋଣାର୍କ ଗସ୍ତରେ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର, ରାଉରକେଲା ଏବଂ ପୁରୀ ଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି ।