ସାଲେପୁର: ରାଜ୍ୟରେ କରୋନା କଟକଣା ଲାଗୁହେବା ପରେ ସମଗ୍ର ଓଡିଶାରେ ଥିବା ଯାତ୍ରାପାଟି ଗୁଡିକୁ ସରକାର ବନ୍ଦ କରିଦେଇଥିଲେ । ଫଳରେ ଯାତ୍ରା ଦଳରେ ଥିବା କଳାକାର ମାନେ ଏକ ପ୍ରକାର ଜୀବିକା ହରାଇ ବସିଥିବା ସହ ତାଙ୍କର ସ୍ଥିତି ଦୟନୀୟ ହୋଇପଡିଥିଲା । ଖାଲି ସେତିକି ନୁହେଁ ଯାତ୍ରାପାଟିର ମାଲିକ ମାନେ ମଧ୍ୟ ଘୋର ଆର୍ଥିକ ପରିସ୍ଥିତି ମଧ୍ୟଦେଇ ଗତିକରୁଥିଲେ । ଅନ୍ୟ ପକ୍ଷରେ ଓଡ଼ିଶାର ଅଗଣିତ କଳାପ୍ରେମି ଦର୍ଶକ ମାନେ ମନୋରଞ୍ଜନ ଠାରୁ ଦୂରେଇ ଯାଇଥିଲେ । ମାତ୍ର ରାଜ୍ୟ ସରକାର କଳାକାର ମାନଙ୍କ ଦାବିକୁ ସହୃଦୟତାର ମାନିନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କଟକ ସଦର ନିର୍ବାଚନ ମଣ୍ଡଳୀର କଳମିଶ୍ରି ପଂଚାୟତ ଅନ୍ତର୍ଗତ ଦାମୋଦରପୁର ପଞ୍ଚାୟତ କଳାପରିଷଦ ଆନୁକୂଲ୍ୟରେ ଓଡିଶାରେ ପ୍ରଥମକରି ମାର୍ଚ୍ଚ ୪ ତାରିଖ ଠାରୁ ନିଜ ଅନୁଷ୍ଠାନ ମାଧ୍ୟମରେ ସୁନାମଧନ୍ୟ ଯାତ୍ରା ଅନୁଷ୍ଠାନ ଶିବାନି ଗଣନାଟ୍ୟ ଯାତ୍ରାପରିବେଷଣ କରୁଛନ୍ତି । କରୋନା ପରେ ଯାତ୍ରା କଳାକାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଆଯୋଜକ ଓ ଦର୍ଶକ ମାନେ ବେଶ ଆନନ୍ଦିତ । ସତେ ଯେମିତି କଳାକାର ମାନଙ୍କ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।