ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ବିଶୃଙ୍ଖଳାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ପତାକା ତଥା ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନର ଅପମାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ଯେଉଁ ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ପ୍ରଦାନ କରେ, ସେହି ସମାନ ସମ୍ବିଧାନ ଆମକୁ ଶିକ୍ଷା ଦିଏ ଯେ ଆଇନ ଏବଂ ନିୟମକୁ ସମାନ ଭାବରେ ଗମ୍ଭୀରତାର ସହ ପାଳନ କରାଯିବା ଉଚିତ୍ ।
ରାଷ୍ଟ୍ରପତି ଶୁକ୍ରବାର ଦିନ ସଂସଦର କେନ୍ଦ୍ରୀୟ ହଲକୁ ସମ୍ବୋଧିତ କରି କୃଷି ସଂସ୍କାର ପାଇଁ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ସଂସ୍କାର ଆଇନ ସମ୍ପର୍କରେ ସେ କହିଛନ୍ତି ଯେ ମୋର ସରକାର ଏହା ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ତିନୋଟି ନୂତନ କୃଷି ଆଇନ ପ୍ରଣୟନ ହେବା ପୂର୍ବରୁ ପୁରାତନ ବ୍ୟବସ୍ଥାରେ ଥିବା ଅଧିକାର ତଥା ସୁବିଧାଗୁଡ଼ିକରେ କୌଣସି ପ୍ରକାର କମ କରାଯାଇ ନାହିଁ ।