ଅନଲାଇନରେ ପାଠପଢାକୁ ଗୁରୁତ୍ୱ

ୟୁଟ୍ୟୁବ୍ ଦେଖି ପାଠ ପଢିବେ ଦଶମ ଛାତ୍ରଛାତ୍ରୀ

କଟକ: ଏବେ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ସ୍କୁଲ କେବେ ଖୋଲିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ଅନଲାଇନରେ ପାଠପଢାକୁ ଗୁରୁତ୍ୱ ଦିଆଯାଉଛି । ୟୁଟ୍ୟୁବ୍‌ରେ ଭିଡିଓ ଦେଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ନେଇ ବ୍ୟବସ୍ଥା ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିଥିଲେ ବି ବିପଦ ଟଳିନାହିଁ । ଦ୍ୱିତୀୟ ଲହରୁ ନେଇ ସରକାର ଓ ପ୍ରଶାସନ ସତର୍କ ଅଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଇ ନାହିଁ । ମାଟ୍ରିକ ପରୀକ୍ଷା ନେଇ ସ୍ଥିତି ଅସ୍ପଷ୍ଟ ରହିଛି । ଏସବୁକୁ ନଜରରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏଭଳି ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଇଂରାଜୀ ଓ ସାଧାରଣ ବିଜ୍ଞାନର ପାଠ୍ୟକ୍ରମକୁ ଭିଡିଓ କରାଯାଇ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯିବାର ବ୍ୟବସ୍ଥା ହେବ। ୟୁଟ୍ୟୁବ୍‌ରେ ଭିଡିଓ ଦେଖିବା ପାଇଁ ବୋର୍ଡର ୱେବ୍‌ସାଇଟ୍‌ରେ ଏକ ଲିଙ୍କ୍‌ ଦିଆଯିବ ବୋଲି ବୁଧବାର ବୋର୍ଡ ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଇଂରାଜୀ ଓ ସାଧାରଣ ବିଜ୍ଞାନର ଶିକ୍ଷାଦାନ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ଦ୍ୱାରା କରାଯାଇଛି। ଏହାର ଭିଡିଓ ତିଆରି କରାଯାଇଛି। କିଛି ଦିନ ଭିତରେ ଭିଡିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯିବ । ବୋର୍ଡର ୱେବ୍‌ସାଇଟ୍ www.bseodisha.ac.inରେ ୟୁଟ୍ୟୁବ୍‌ର ଲିଙ୍କ୍‌ ପ୍ରଦାନ କରାଯିବ। ଦିଆଯାଇଥିବା ଲିଙ୍କ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଭିଡ଼ିଓ ଦେଖି ପାଠ ପଢ଼ି ପାରିବେ। ଏପରିକି ଅଭିଭାବକମାନେ ମଧ୍ୟ ଏହି ଭିଡିଓ ଦେଖି ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ। ଯଦି ଏହି ପ୍ରୟାସ ସଫଳ ସାବ୍ୟସ୍ତ ହେବ, ପରବର୍ତ୍ତୀ ସମୟରେ ଗଣିତ ପାଠ୍ୟକ୍ରମର ଭିଡିଓ କରାଯାଇ ଅପ୍‌ଲୋଡ୍‌ କରାଯିବ ବୋଲି ବୋର୍ଡ କହିଛି ।