ବିଧାନସଭାରେ ପୁଣି ଉଠିଲା କୋଟିଆ ପ୍ରସଙ୍ଗ , କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର: କୋଟିଆ ଓ ରାଜ୍ୟର ଅନ୍ୟ ସୀମାବର୍ତୀ ଅଂଚଳରେ ପଡୋଶୀ ରାଜ୍ୟ ମାନଙ୍କରେ ଦିଆଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅସହାୟତା ଠାରୁ କମ ଆର୍ଥିକ ସହାୟତା ପ୍ରଦାନ କରା ଯାଉଥିବାରୁ ଏହି ଅଂଚଳର ଲୋକ ମାନେ ପଡୋଶୀ ରାଜ୍ୟରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ପଡୋଶୀ ରାଜ୍ୟ ମାନଙ୍କରେ ସାମାଜିକ ସୁରକ୍ଷା ଯୋଜନାରେ କେତେ ଆର୍ଥିକ ସହାୟଦା ପ୍ରଦାନ କରା ଯାଉଛି ତାକୁ ଅଧ୍ୟୟନ କରିବା ପାଇଁ ଏକ ଗୃହ କମିଟି ଗଠନ କରିବା ଦାବି ନେଇ ଶନିବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ ଅନେକ ଥର ସ୍ଥଗିତ କରିବା ସହ ଅଚଳାବସ୍ଥାକୁ ଦୂର କରିବାରୁ ସର୍ବଦଳୀୟ ବୈଠକ ଡାକିଥିଲେ ।

ଆଜି ନିର୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିଥିଲା । ପ୍ରଥମେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତର ଦେଇଥିଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ଏହା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କୋଟିଆ ଓ ଓଡିଶାର ସମସ୍ତ ସୀମାବର୍ତୀ ଗ୍ରାମରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ପଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ପ୍ରଶ୍ନର ଉତର ଦେଉଇଥିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ଏହି ପ୍ରଶ୍ନର ଉତର ବେଳେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନା କାଳରେ ବିଧାୟକ ମାନେ ପଡୋଶୀ ରାଜ୍ୟ ଦ୍ୱାରା ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ଅର୍ଥ ପ୍ରଦାନ କରା ଯାଉଥିବା କଥା ଉଲ୍ଲେଖ କରିଥିଲେ ଓ କହିଥିଲେ ଓ ଓଡିଶା ସରକାର ମଧ୍ୟ ତା ଠାରୁ ଅଧିକ ସହାୟତା ପ୍ରଦାନ କରିବା ଆବଶ୍ୟକ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟ ସରକାର ସୀମାବର୍ତୀ ରାଜ୍ୟର ସାମାଜିକ ସୁରକ୍ଷାକୁ ଅନୁଧ୍ୟାନ କରି ଅନ୍ୟ ସୀମାବର୍ତୀ ରାଜ୍ୟ ଅପେକ୍ଷା ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି କରିଥିଲେ । ଏହାକୁ ଅନୁଧ୍ୟାନ କରିବାକୁ ସେ ଏକ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲେ । ଏ ସମ୍ପର୍କରେ କୌଣସି ନିର୍ଦିଷ୍ଟ ଉତର ନ ପାଇବା କାରଣରୁ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଯାଇ କମିଟି ଗଠନ ଆମର ଦାବି ବୋଲି କହି ନାରାବାଜୀ କରିଥିଲେ ।

ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ପ୍ରଶ୍ନକାଳରେ ଅନେକ ପ୍ରଶ୍ନ ଉପରେ ଆଲୋଚନା ହେବାର ଅଛି । ତେଣୁ ସେମାନେ ନିଜ ନିଜ ଆସନକୁ ଯାଆନ୍ତୁ । ଯେ ପର୍ଯ୍ୟନ୍ତ ସେମାନେ ସିଟକୁ ଯାଇ ନାହାନ୍ତି ସେ ଯାଏ ସେ ତାଙ୍କ କଥା ଶୁଣିବେ ନାହିଁ ବୋଲି କହିଥିଲେ । କଂଗ୍ରେସ ବିଧାୟକ ମାନେ ବାଚସ୍ପତିଙ୍କ ଟେବୁଲ ସାମନାରେ ଥିବା ଫାଇବର କାଚକୁ ବାଡେଇବା ସହ ନାରାବାଜୀ ଜାରୀ ରଖିଥିଲେ ।

ଗୃହରେ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ୧୧.୨୩ରୁ ୧୧.୩୦ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ମାନେ ପୁଣି ଥରେ ସମାନ ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ବିଜେଡି ବିଧାୟକ ଅମର ସତପଥୀଙ୍କୁ କହିବାକୁ ଅନୁମତି ଦେଇଥିଲେ । ଶ୍ରୀ ସତପଥୀ କହିଥିଲେ ଯେ ସୀମାବର୍ତୀ ଅଂଚଳ ପାଇଁ ଗୃହ କମିଟି ରହିଛି । ଯଦି ତାର ଟର୍ମସ ଏଂଡ ରେଫରେନ୍ସକୁ ବ୍ୟାପକ କରି ଦିଆ ଗଲେ ଉକ୍ତ କମିଟି ଅନୁଧ୍ୟାନ କରି ପାରିବ ।

ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ଏ ସମ୍ପର୍କରେ ବାଚସ୍ପତିଙ୍କ ଅଧ୍ୟ କ୍ଷତାରେ ଗୃହ କମିଟି ରହିଛି । କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିବା କାରଣରୁ ବାଚସ୍ପତି ଅଚଳାବସ୍ଥାକୁ ଏଡାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ସେ ପ୍ରଥମେ ୧୨ଟାରୁ ୧୨.୧୫ ଯାଏ ଓ ପରେ ୧୨.୧୫ରୁ ୧୨.୩୦ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।